ବାଙ୍ଗାଲୋର: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ କରୁଣ ନାୟାର ଏବେ ବିଦର୍ଭ ବଦଳରେ କର୍ଣ୍ଣାଟକ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ । ବିଦର୍ଭ କ୍ରିକେଟ ଆସୋସିଏଶନ ତାଙ୍କୁ ଏନଓସି ଦେଇସାରିଛି । ୩ ବର୍ଷ ହେବ ଘରୋଇ କର୍ଣ୍ଣାଟକ ଟିମ ଛାଡି କରୁଣ ବିଦର୍ଭ ପକ୍ଷରୁ ଖେଳୁଥିଲେ । ଗତ ରଣଜୀ ସିଜନରେ ସେ ୧୬ ଇନିଂସରେ ୮୬୩ ରନ କରିଥିଲେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଯୋଗୁ ଦୀର୍ଘ ଦିନ ପରେ ତାଙ୍କୁ ଜାତୀୟ ଦଳ ପକ୍ଷରୁ ଖେଳିବା ପାଇଁ ସୁଯୋଗ ମିଳିଥିଲା । ଅବଶ୍ୟ ସେ ଏ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ୬ଟି ଇନିଂସରେ ସେ ଯଥାକ୍ରମେ ୦, ୨୦, ୩୧, ୨୬, ୪୦ ଓ ୧୪ ରନ କରିଛନ୍ତି ।
ଆନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ ସିରିଜରେ ତ୍ରିଶତକ ମାରି କରୁଣ ବେଶ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ତାଙ୍କ ବ୍ୟାଟ ନୀରବ ପଡି ଯାଇଥିଲା । ଜାତୀୟ ଦଳରୁ ବାଦ ପଡିବା ପରେ ସେ ଶେଷରେ କର୍ଣ୍ଣାଟକ ପକ୍ଷରୁ ଠିକ ଭାବେ ସୁଯୋଗ ପାଉ ନ ଥିଲେ । ଶେଷରେ ବିଦର୍ଭ ପକ୍ଷରୁ ଖେଳିଥିଲେ । ଏହା ତାଙ୍କୁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲେ ମଧ୍ୟ କରୁଣ ନିରାଶ କରିଛନ୍ତି । ତାଙ୍କୁ ୪ର୍ଥ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାଦ ଦିଆଯିବା ନେଇ ମଧ୍ୟ ଆଲୋଚନା ହେଉଛି । ମାଂଚେଷ୍ଟର ଟେଷ୍ଟରେ ଯଦି ତାଙ୍କୁ ସୁଯୋଗ ମିଳେ ଏହା ତାଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିବ ।
Comments are closed.