ନୂଆଦିଲ୍ଲୀ: ସେମାନଙ୍କର ନା ନିଜର କୌଣସି ଦେଶ ଅଛି ନା କୌଣସି ଦେଶର ନାଗରିକତା । ଏଭଳି ଲୋକଙ୍କୁ ଅଣନାଗରିକ ବା ରାଷ୍ଟ୍ରହୀନ କୁହାଯାଏ । ବିଶ୍ବରେ ଏଭଳି ଏକ କୋଟିରୁ ଅଧିକ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଦେଶର ନାଗରିକତା ନାହିଁ । ସେମାନେ କୌଣସି ଦେଶର ନାଗରିକ ହୋଇନଥିବାରୁ ସେମାନଙ୍କ ଉପରେ କୌଣସି ଦେଶର ଆଇନ ବ୍ୟବସ୍ଥା ଲାଗୁ ହୁଏନି । ଦେଶର ସାଧାରଣ ନାଗରିକଙ୍କୁ ମିଳୁଥିବା ସୁବିଧା ଓ ଅଧିକାରରୁ ଏମାନେ ବଞ୍ଚିତ ହୁଅନ୍ତି । ବର୍ଷ ବର୍ଷ ଧରି ସେମାନେ କୌଣସି ଦେଶରେ ରହିଲେ ମଧ୍ୟ ଆଇନଗତ ଭାବେ ସେମାନଙ୍କର କିଛି ପରିଚୟ ନଥାଏ ।
କେମିତି ହରାଇ ଦିଅନ୍ତି ନାଗରିକତା?
ଯଦି କୌଣସି ବ୍ୟକ୍ତି ବିଦେଶୀ ନାଗରିକଙ୍କୁ ବିବାହ କରି ତାଙ୍କ ଦେଶକୁ ଚାଲିଯାଆନ୍ତି । ହେଲେ ତାଙ୍କୁ ନିଜ ଜୀବନସାଥୀଙ୍କ ଦେଶର ନାଗରିକତା ନମିଳେ ଓ ବିବାହ ପରେ ନିଜ ଦେଶର ନାଗରିକତା ସେ ଛାଡ଼ିଦିଅନ୍ତି । ତେବେ ବ୍ୟକ୍ତିଜଣକ ରାଷ୍ଟ୍ରହୀନ ବା ଷ୍ଟେଟଲେସ ହୋଇଯାଆନ୍ତି । କାରଣ ତାଙ୍କ ପାଖରେ କୌଣସି ଦେଶର ନାଗରିକତା ରହେନାହିଁ । ଏଭଳି ଦମ୍ପତିଙ୍କ ସନ୍ତାନଙ୍କ ପାଇଁ ମଧ୍ୟ ନାଗରିକତା ସଂକଟ ଦେଖା ଦେଇପାରେ । କିଛି ବର୍ଷ ତଳେ ଭାରତ ସହ ଅଶାନ୍ତି ମଧ୍ୟରେ ସେଠାକୁ ବିବାହ କରି ଯାଇଥିବା ଯୁବତୀଙ୍କୁ ନାଗରିକତା ଦେବାକୁ ମନା କରିଦେଇଥିଲା ନେପାଳ। ଅନେକ ସମୟରେ ଆଇନଗତ ଦସ୍ତାବେଜ ଅଭାବ ତଥା ଟେକ୍ନୋଲୋଜିରେ ଗଡ଼ବଡ଼ ପାଇଁ ମଧ୍ୟ ଅନେକ ଷ୍ଟେଟଲେସ ହୋଇଯାଆନ୍ତି ।
ଦୁନିଆରେ କେତେ ଲୋକ ଷ୍ଟେଟଲେସ୍?
ଜାତିସଂଘର ରିଫ୍ୟୁଜି ଏଜେନ୍ସି ୟୁଏନଏଚସିଆରର ସୂଚନା ଅନୁସାରେ ୨୦୧୮ ନଭେମ୍ବର ସୁଦ୍ଧା ବିଶ୍ବରେ ପ୍ରାୟ ୧କୋଟି ୨୦ଲକ୍ଷ ଲୋକଙ୍କ ପାଖରେ କୌଣସି ଦେଶର ନାଗରିକତା ନଥିଲା । ଷ୍ଟେଟଲେସଙ୍କ ମଧ୍ୟରୁ ୭୫ପ୍ରତିଶତ ଲୋକ ସଂଖ୍ୟାଲଘୁ ଓ ପ୍ରାୟ ଏକତୃତୀୟାଂଶ ପିଲା ରହିଛନ୍ତି । ଭାରତ ସମେତ ବିଭିନ୍ନ ଦେଶରେ ଅଣନାଗରିକଙ୍କର ଭୋଟ ଦେବା ଅଧିକାର ନାହିଁ । ବିଶ୍ବର ବିଭିନ୍ନ ଅଂଶରେ ଚାଲିଥିବା ସଂଘର୍ଷ ତଥା ରାଜନୈତିକ କାରଣରୁ ବଡ଼ ସଂଖ୍ୟାରେ ଲୋକେ ଅବୈଧ ପଳାୟନ କରୁଛନ୍ତି । ଅନୁପ୍ରବେଶକାରୀଙ୍କୁ କୌଣସି ଦେଶ ନାଗରିକତା ଦେବାକୁ ରାଜି ହେଉନାହାନ୍ତି ।
ନାଗରିକତା ନଥିଲେ ଏସବୁ ଚ୍ୟାଲେଞ୍ଜ
ନାଗରିକତା ନଥିଲେ ପାସପୋର୍ଟ ବା ଭିସା ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ତେଣୁ ଷ୍ଟେଟଲେସ ଲୋକେ ଆଇନଗତ ଭାବେ କୌଣସି ଦେଶକୁ ଯାତ୍ରା କରିପାରିବେନି । ସେମାନେ କୌଣସି ଦେଶରେ ନ୍ୟାୟ ପାଇବା କିମ୍ବା ଆଇନଗତ ସହାୟତା ନେବାରେ ସମସ୍ୟା ଭୋଗନ୍ତି । ସାମାଜିକ ଭାବେ ମଧ୍ୟ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଏ । ମିଆଁମାରର ରୋହିଙ୍ଗ୍ୟା ମୁସଲିମଙ୍କୁ ଷ୍ଟେଟଲେସ ଘୋଷଣା କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ଅବୈଧ ଭାବେ ରହୁଛନ୍ତି । ସେହିପରି ଦକ୍ଷିଣ ଏସିଆକୁ ଭାରତରୁ ଯାଇଥିବା ଲୋକଙ୍କୁ ନାଗରିକତା ମିଳିନଥିବାରୁ ସେମାନେ ସେଠାରେ ଅଣନାଗରିକ ହୋଇ ରହୁଛନ୍ତି ।
କୌଣସି ଦେଶର ନାଗରିକତା ନଥିବା ଏସବୁ ଲୋକଙ୍କ ସହାୟତା ପାଇଁ ୟୁଏନଏଚସିଆର ପକ୍ଷରୁ ଆଇ ବିଲଙ୍ଗ ନାମରେ ଏକ ଅଭିଯାନ ଚଳାଯାଉଛି । ଏହାର ଲକ୍ଷ୍ୟ ହେଉଛି ଷ୍ଟେଟଲେସନେସକୁ ଶେଷ କରିବା । ୧୯୬୧ ଏନେଇ ଏକ ସନ୍ଧି ବି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଅନେକ ଦେଶ ଏହାକୁ ଲାଗୁ କରିନାହାନ୍ତି । ଭାରତ ଏହି ସନ୍ଧିର ଅଂଶ ହୋଇନଥିଲେ ମଧ୍ୟ ତିବ୍ବତ ଶରଣାର୍ଥୀ ଓ ଶ୍ରୀଲଙ୍କା ତାମିଲଙ୍କ ପରି ଷ୍ଟେଟଲେସ ସଂପ୍ରଦାୟ ଦେଶରେ ଲମ୍ବା ସମୟ ଧରି ରହୁଛନ୍ତି । ଏମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ପତ୍ର ଜାରି କରାଯାଇଛି । ତେବେ ଏମାନଙ୍କୁ ଭାରତୀୟ ନାଗରିକଙ୍କୁ ମିଳୁଥିବା ସବୁ ଅଧିକାର ମିଳେନାହିଁ ।
Comments are closed.