ଭୁବନେଶ୍ୱର: ଏଫଏମ କଲେଜରେ ୧୨ ଜୁଲାଇରେ କ୍ୟାମ୍ପସରେ ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗରେ ଆତ୍ମହତ୍ୟା କରିଥିଲେ ଯାହାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ୍ କରୁଛି।
ଛାତ୍ରୀ ଜଣକ ପ୍ରିନ୍ସିପାଲଙ୍କ ଚାମ୍ବରରୁ ବାହାରିବାର କିଛି ମିନିଟ୍ ପରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାଟି ଯେଉଁ ସ୍ଥାନରେ ଘଟିଥିଲା ସେଠାରେ କୌଣସି ସିସିଟିଭି ନେଟୱାର୍କ ରହିନଥିଲା ଯାହାଦ୍ଵାରା ଏହି ମାମଲାର ସମାଧାନ ପାଇଁ ବର୍ତ୍ତମାନ୍ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ତେବେ କ୍ରାଇମ ବ୍ରାଞ୍ଚ ଦ୍ଵାରା ସଂଗ୍ରହ କରାଯାଇଥିବା ସିସିଟିଭି ଫୁଟେଜରେ ଦୁଇ ଝିଅଙ୍କୁ ଦେଖିବାକୁ ମିଳିଥିଲା ଯାହା ବିଷୟରେ ବର୍ତ୍ତମାନ୍ କ୍ରାଇମବ୍ରାଞ୍ଚ୍ ସୂଚନା ମାଗିଥିବା ସୂଚନା ଦେଇଛନ୍ତି କଲେଜର ଅଧ୍ୟକ୍ଷ ଇନଚାର୍ଜ ଫିରୋଜ କୁମାର ପାଢ଼ୀ।
ଛାତ୍ରୀଙ୍କ ଫଟୋ ପ୍ରସାରିତ କରାଯାଇ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପଚରାଉଚରା କରାଯାଉଥିବା ମଧ୍ୟ କୁହାଯାଇଛି। ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶରେ ବିଭାଗର ମୁଖ୍ୟଙ୍କ ଦ୍ୱାରା କଲେଜର ହ୍ୱାଟ୍ସଆପ୍ ଗ୍ରୁପରେ ଫଟୋଗୁଡ଼ିକ ସେୟାର କରାଯାଇଥିବା ଜଣେ ଛାତ୍ରୀ କହିଛନ୍ତି।
ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି କ୍ୟାମ୍ପସରେ ପେଟ୍ରୋଲ ଏବଂ ଦିଆସିଲି ଆସିଲା କେଉଁଠାରୁ ଓ ଏଥିରେ କୌଣସି ଅନ୍ୟ ବ୍ୟକ୍ତି ଜଡ଼ିତ ଥିଲେ କି ନାହିଁ କିମ୍ବା ତାଙ୍କୁ ଆତ୍ମହତ୍ୟା କରିବାରୁ କେହି ଅଟକାଇଥିଲେ କି ନାହିଁ। ତେବେ ଘଟଣାସ୍ଥଳରେ ଅନ୍ୟ ଦୁଇ ଜଣ ଝିଅ ଉପସ୍ଥିତ ଥିବାରୁ ସେହି ସମୟରେ ପ୍ରକୃତରେ କ’ଣ ଘଟିଥିଲା ସେହିମାନେ ହିଁ କହିପାରିବେ ବୋଲି କୁହାଯାଉଛି।
Comments are closed.