ବଲାଙ୍ଗୀର: ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର। ୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଏହି ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ରାତିସାରା ଚାଲିଥିଲା ଅପରେସନ୍। ଅପରେସନରେ ସାମିଲ୍ ହୋଇଥିଲେ ପୋଲିସ୍, ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ରହିଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ। ନୃସିଂହନାଥଠାରୁ ୫ କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ। ଫରେଷ୍ଟ ରେଞ୍ଜରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତଳକୁ ଆଣିଲେ।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ। ପର୍ଯ୍ୟଟକମାନେ ହରିଶଙ୍କର ପଟୁ ପାହାଡ଼ ଚଢ଼ି ନୃସିଂହନାଥ ଆସୁଥିବା ବେଳେ, ରାସ୍ତା ଭୁଲି ଯାଇ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଫସି ରହିଥିଲେ। ଗତକାଲି ସନ୍ଧ୍ୟା ସାଢେ ୭ଟାରେ ନିକଟ ଟୋଲ୍ ଫ୍ରି ନମ୍ୱରକୁ ଫୋନ କରି ଜଙ୍ଗଲରେ ଫସିଯାଇଥିବା ସୂଚନା ଦେଇଥିଲେ।
ଏହି ଖବର ପାଇବା ପରେ ପାଇକମାଲ ପୋଲିସ, ଡିଭିଏଫ ଟିମ୍, ପାଇକମାଲ ଫରେଷ୍ଟ ଫୋର୍ସ ଉଦ୍ଧାର ପାଇଁ ପହଞ୍ଚିଥିଲେ। ହେଲେ ରାତି ବଢ଼ିବା ସହ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଭୋରରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପର୍ଯ୍ୟଟକଙ୍କ ମୋବାଇଲ ଲୋକେସନରୁ ସେମାନଙ୍କୁ ଟ୍ରାକ କରାଯାଇ ରେସକ୍ୟୁ କରାଯାଇଛି।
Comments are closed.