ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ସମ୍ବାଦିକଙ୍କ ପାଇଁ ଖୁସି ଖବର। ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ୍। ବିହାରରେ ସାମ୍ବାଦିକଙ୍କ ମାସିକ ପେନସନ ୬ ହଜାରରୁ ୧୫ ହଜାର ଟଙ୍କା କରାଗଲା। ସାମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ୩ ହଜାର ଜାଗାରେ ମିଳିବ ୧୦ ହଜାର ଟଙ୍କା ପେନସନ। ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଦିନ ‘ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା’ ଅଧୀନରେ ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ଯୋଗ୍ୟ ସାମ୍ବାଦିକମାନେ ଏବେ ମାସିକ ୬,୦୦୦ ଟଙ୍କାରୁ ୯,୦୦୦ ଟଙ୍କା ବୃଦ୍ଧି ପାଇ ୧୫,୦୦୦ ଟଙ୍କା ପେନସନ ପାଇବେ। ଏହି ପଦକ୍ଷେପ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ ଧରି ସେବା କରିଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ କରାଯାଇଛି । ବରିଷ୍ଠ ସାମ୍ବାଦିକମାନଙ୍କୁ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ।
ଏନେଇ ସସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ ‘ବିହାର ପତ୍ରକାର ସମ୍ମାନ ପେନସନ ଯୋଜନା’ ଅଧୀନରେ, ସମସ୍ତ ଯୋଗ୍ୟ ସାମ୍ବାଦିକଙ୍କୁ ୬,୦୦୦ ଟଙ୍କା ପରିବର୍ତ୍ତେ ୧୫,୦୦୦ ଟଙ୍କା ମାସିକ ପେନସନ ପ୍ରଦାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପତି/ପତ୍ନୀଙ୍କ ପାଇଁ ମାସିକ ପେନସନ ୩,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।” ସୂଚନାଯୋଗ୍ୟ, ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।
Comments are closed.