Latest Odisha News

BREAKING NEWS

ଶତ୍ରୁଙ୍କ ନିଦ ହଜାଇବେ ରୁଦ୍ର, ଭୈରବ !

ନୂଆଦିଲ୍ଲୀ: ସୀମାରେ ଥରିବ ଶତ୍ରୁ । ପ୍ରଚଣ୍ଡ ପ୍ରହାର କରିବେ ରୁଦ୍ର, ଭୈରବ । ଭାରତୀୟ ସେନାର ରୁଦ୍ର ବ୍ରିଗେଡ୍ ଓ ଭୈରବ ଲାଇଟ୍ କମାଣ୍ଡୋ ବାଟାଲିୟନ ନୂଆ କ୍ରାନ୍ତିର ଶୁଭାରମ୍ଭ କରିବେ । ମିସାଇଲ୍ ଓ ସ୍ପେଶାଲ ଫୋର୍ସଙ୍କ ସହ ଏହି ଦୁଇ ୟୁନିଟ୍ ସୀମାରେ ଶତ୍ରୁଙ୍କୁ ମାତ୍ ଦେବାକୁ ପ୍ରସ୍ତୁତ । ସ୍ବଦେଶୀ ଜ୍ଞାନକୌଶଳ ଓ ଆଧୁନିକୀକରଣ ଦ୍ବାରା ଭାରତ ସେନା ସୁପରପାଓ୍ବାର ହେବାକୁ ଯାଉଛି । ଏହି କ୍ରମରେ ସେନା ଦୁଇ ଇନଫେଣ୍ଟ୍ରି ବ୍ରିଗେଡକୁ ରୁଦ୍ର ବ୍ରିଗେଡରେ ପରିଣତ କରିଛି । ସେହିପରି ନୂଆ କରି ଭୈରବ ଲାଇଟ୍ କମାଣ୍ଡୋ ବାଟାଲିୟନର ଗଠନ କରାଯାଇଛି । ଏହା ଭାରତର ପ୍ରତିରକ୍ଷାକୁ ନୂଆ ସ୍ତରକୁ ନେବ । ତେବେ ପ୍ରଶ୍ନ ଉଠୁଛି, ରୁଦ୍ର, ଭୈରବ କ’ଣ? କେମିତି କାମ କରିବେ? କେମିତି ଭାରତର ସୁରକ୍ଷାକୁ ମଜବୁତ କରିବେ?

ରୁଦ୍ର ବ୍ରିଗେଡ୍ ବଢାଇବ ଶକ୍ତି

ରୁଦ୍ର ବ୍ରିଗେଡରେ ଭିନ୍ନ ଭିନ୍ନ ଫାଇଟିଂ ୟୁନିଟକୁ ଏକାଠି କରାଯାଇଛି । ଶତ୍ରୁ ସହ ମୁକାବିଲା କରିବା ପାଇଁ ବ୍ରିଗେଡକୁ ସୀମାରେ ମୁତୟନ କରାଯାଇଛି । ଏଥିରେ ପଦାତିକ ବାହିନୀ ସହ ରହିଛି ମେକାନାଇଜଡ ଇନଫାଣ୍ଟ୍ରି । ଟ୍ୟାଙ୍କ ଓ ହତିଆର, ଦୂରରୁ ଆକ୍ରମଣ କରିବା ଭଳି ଆର୍ଟିଲେରୀ, ସ୍ବତନ୍ତ୍ର ମିଶନ ପାଇଁ ପ୍ରଶିକ୍ଷିତ ସୈନିକ, ପାଇଲଟବିହୀନ ଡ୍ରୋନ୍ ମଧ୍ୟ ବ୍ରିଗେଡରେ ସାମିଲ କରାଯାଇଛି । ବ୍ରିଗେଡକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସାମଗ୍ରୀ ଓ ଇନ୍ଧନ ଯୋଗାଣ ସହ କମ୍ବାଟ୍ ସପୋର୍ଟ ମିଳିବ । ଏହି ବାଟାଲିୟନରେ ଡ୍ରୋନ୍ ପ୍ଲାଟୁନ ବି ରହିବେ । ଡ୍ରୋନ୍ ଦ୍ବାରା ଶତ୍ରୁ ପକ୍ଷ ଉପରେ ନଜର ରଖିବା ସହ ଆକ୍ରମଣ କରାଯିବ । ଆର୍ଟିଲେରୀରେ ଦିବ୍ୟାସ୍ତ୍ର ବ୍ୟାଟେରୀ ଓ ଲୟଟର ମୁନିସନ ବ୍ୟାଟେରୀ ଲଗାଯିବ, ଯାହା ମାରକ କ୍ଷମତାକୁ ଅନେକ ଗୁଣା ବଢାଇବ । ରୁଦ୍ର ବ୍ରିଗେଡର ଡ୍ରୋନ୍ ଶତ୍ରୁ ପକ୍ଷର ସ୍ଥିତି ଜଣାଇବା ପରେ ତୋପରୁ ସଠିକ୍ ଆକ୍ରମଣ କରାଯାଇପାରିବ ।

ଶତ୍ରୁଙ୍କ କାଳ ହେବ ଭୈରବ

ଭୈରବ ଲାଇଟ୍ କମାଣ୍ଡୋ ବାଟାଲିୟନ ସେନାର ନୂଆ ବିପଜ୍ଜନକ ୟୁନିଟ୍ । ଏହା ହାଲୁକା, ତୀବ୍ର ଓ ଘାତକ । ଏହା ସ୍ପେଶାଲ ଫୋର୍ସଙ୍କ ପରି କାମ କରିବ । ସୀମାରେ ଅଚାନକ ହମଲା କରି ଶତ୍ରୁଙ୍କୁ ମାତ୍ ଦେବା ଏହାର ମୁଖ୍ୟ ଫୋକସ୍ । ଏଥିରେ ଏଜାଅଲ୍ ପରି ହାଲୁକା ହତିଆର ରହିଛି, ଯାହା ପାହାଡ ଜଙ୍ଗଲରେ ସହଜରେ ଚାଲିପାରିବ । ଏମପି-୫ ସବମସିନ ଗନ୍ ହେଉକି  ସ୍ବଦେଶୀ ଡ୍ରୋନ୍ ବମ୍, ଏଥିରେ ଛୋଟ କିନ୍ତୁ ଶକ୍ତିଶାଳୀ ହତିଆର ସାମିଲ କରାଯାଇଛି । ଏଥିସହ ରାତି କିମ୍ବା ଘନ କୁହୁଡିରେ ଅଚାନକ୍ ଆକ୍ରମଣ କରିବାକୁ ଏଥିରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଏହି ବାଟାଲିୟମ ଶତ୍ରୁ ପକ୍ଷର ଯୋଗାଣ ଶୃଙ୍ଖଳ ଭାଙ୍ଗିବା ସହ ସେମାନଙ୍କ ଠିକଣା ନଷ୍ଟ କରିବ ।

ସେନା ପାଖରେ ଆଧୁନିକ ଟେକ୍ନୋଲୋଜି

ଆଧୁନିକ ଟେକ୍ନୋଲୋଜି ଭାରତୀୟ ସେନାକୁ ଆହୁରି ସଶକ୍ତ କରିବ । ସବୁ ଇନଫାଣ୍ଟ୍ରି ବାଟାଲିୟନରେ ଡ୍ରୋନ୍ ରହିବା ସହ ରିୟଲ- ଟାଇମ୍ ଗୁପ୍ତଚରୀ କରିବ । ସେହିପରି ଦିବ୍ୟାସ୍ତ୍ର ବ୍ୟାଟେରି ସଠିକ ଓ ଲମ୍ବା ଦୂରତା ପର୍ଯ୍ୟନ୍ତ ଟାର୍ଗେଟ୍ ନଷ୍ଟ କରିବ । ସେହିପରି ଲୟଟର ମୁନିଶନ ପବନରେ ବୁଲିବା ସହ ଶତ୍ରୁ ଉପରେ ଆକ୍ରମଣ କରିବ । ସେହିପରି ବାୟୁ ପ୍ରତିରକ୍ଷାକୁ ମଜବୁତ କରିବାକୁ ଆକାଶ ଓ କ୍ୟୁଆରଏସଏଏମ ପରି ମିସାଇଲ୍ ଲଗାଯାଉଛି । ଏସବୁ ଟେକ୍ନୋଲୋଜି ଏଆଇ ଓ ସାଟେଲାଇଟ୍ ଡାଟା ଦ୍ବାରା ପରିଚାଳିତ ହେବ । ଡ୍ରୋନ୍ ଓ ମିସାଇଲ୍ ସ୍ବୟଂଚାଳିତ ହେବା ଦ୍ବାରା ସୈନିକଙ୍କ ପାଇଁ ବିପଦ କମ୍ ରହିବ ।

ଏଲଏସି ଓ ଏଲଓସିରେ ଚୀନ୍ ଓ ପାକିସ୍ତାନ ସହ ଉତ୍ତେଜନା ରହିଥିବା ବେଳେ ଏହି ଦୁଇ ବ୍ରିଗେଡ୍ ଭାରତକୁ ଆହୁରି ମଜବୁତ କରିବେ । ରୁଦ୍ର ଓ ଭୈରବ ଶତ୍ରୁ ପକ୍ଷର ଅଚାନକ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ରହିବେ । ସେନା ଏବେ ପୁରୁଣା ତରିକାରୁ ବାହାରି ନୂଆ ଟେକ୍ନୋଲୋଜି ଓ ସ୍ପେଶାଲ ଫୋର୍ସ ଉପରେ ଭରସା କରୁଛି । ସ୍ବଦେଶୀ ହତିଆର ଉପରେ ନିର୍ଭରଶୀଳତା ବଢୁଛି । ଡ୍ରୋନ୍ ଓ ମିସାଇଲ୍ ଯୁଦ୍ଧର ଭବିଷ୍ୟତ ହୋଇଥିବା ବେଳେ ଭାରତ ଏହାସହ ଆଗକୁ ବଢୁଛି । ଭୈରବ ଭଳି କମାଣ୍ଡୋ ଭବିଷ୍ୟତର ଗୁପ୍ତ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ନେଉଛନ୍ତି । ତେବେ ରୁଦ୍ର ଓ ଭୈରବ ଦ୍ବାରା ସୀମାରେ ଭାରତର ସ୍ଥିତି ମଜବୁତ ହେବ । ପଡୋଶୀ ଦେଶଙ୍କୁ ସିଧା ସନ୍ଦେଶ ଯିବ, ଯେକୌସି ଚ୍ୟାଲେଞ୍ଜର ସାମନା କରିବାକୁ ଭାରତ ପ୍ରସ୍ତୁତ ।

Comments are closed.