Latest Odisha News

BREAKING NEWS

ଏମ୍ସ ଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ; ମଦରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ…

ନୂଆଦିଲ୍ଲୀ: ମଦରେ ରହିଛି କର୍କଟ ସୃଷ୍ଟିକାରୀ ଉପାଦାନ।ନୂଆଦିଲ୍ଲୀର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଗବେଷକମାନେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।

ଗବେଷକମାନେ କହିଛନ୍ତି ଯେ ତମାଖୁ ପରି ମଦରେ ମଧ୍ୟ କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ରହିଛି। କିନ୍ତୁ ଏ ବିଷୟରେ ସଚେତନତା ବହୁତ କମ୍। ଏପରି ପରିସ୍ଥିତିରେ ତମାଖୁ ଉତ୍ପାଦ ପରି ମଦ ବୋତଲରେ ଚେତାବନୀ ଲେବଲ୍ ଲଗାଯିବା ଆବଶ୍ୟକ।

ଦିଲ୍ଲୀର ଡକ୍ଟର ବି.ଆର. ଆମ୍ବେଦକର ଇନଷ୍ଟିଚ୍ୟୁଟ୍ ରୋଟାରୀ କ୍ୟାନସର ହସ୍ପିଟାଲର ରେଡିଏସନ୍ ଅଙ୍କୋଲୋଜି ବିଭାଗର କର୍କଟ ବିଶେଷଜ୍ଞ ଡକ୍ଟର ଅଭିଷେକ ଶଙ୍କର, ଡକ୍ଟର ବୈଭବ ସାହାଣୀ ଏବଂ ଡକ୍ଟର ଦୀପକ ସାଇନିଙ୍କ ଦ୍ୱାରା ଲିଖିତ ଏକ ରିସର୍ଚ୍ଚ ପେପରରେ ଏହି ପରାମର୍ଶ ଦିଆଯାଇଛି। ସମ୍ପ୍ରତି ଫ୍ରଣ୍ଟିୟର୍ସ ଇନ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି ଯେ ବୋତଲରେ ପ୍ରମାଣ-ଆଧାରିତ ଏବଂ ଦୃଢ଼ ଚେତାବନୀ ଲେବଲ୍ ଲଗାଇବା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ। ଯାହା କର୍କଟ ମାମଲାକୁ ହ୍ରାସ କରିପାରିବ।

ଗବେଷକମାନେ କହିଛନ୍ତି ଯେ ଚେତାବନୀ ଲେବଲ୍ ଲୋକଙ୍କ ସେବନ ଅଭ୍ୟାସରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ କର୍କଟ ରୋଗରେ ଏକ ବିରାଟ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଦର୍ଶାଉଛି ଯେ ଏଥିରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି।

ଗ୍ଲୋବୋକନ୍ ୨୦୨୨ ତଥ୍ୟ ଅନୁଯାୟୀ, ଭାରତରେ ପ୍ରାୟ ୧୪.୧ ଲକ୍ଷ ନୂତନ କର୍କଟ ରୋଗ ରିପୋର୍ଟ ହୋଇଛି। ଯେତେବେଳେ କି ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୩୨.୫ ଲକ୍ଷ ମାମଲା ରିପୋର୍ଟ ହୋଇଛି ଏବଂ ମୋଟ ୯,୧୬,୮୨୭ ଜଣ କର୍କଟ ରୋଗରେ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୨୦ ତଥ୍ୟ ଅନୁଯାୟୀ, ଭାରତରେ ମଦ୍ୟପାନ ଯୋଗୁଁ  ପ୍ରତି ୧,୦୦,୦୦୦ ଲୋକଙ୍କ ମଧ୍ୟରେ ଏହି ହାର ୪.୭ ପ୍ରତିଶତ ରହିଛି।

 

Comments are closed.