Latest Odisha News

BREAKING NEWS

କିଏ ସେ ଏହି ଦିବ୍ୟା ଦେଶମୁଖ, ହମ୍ପିଙ୍କୁ ହରାଇ ହୋଇଛନ୍ତି ବିଶ୍ୱଚାମ୍ପିୟନ

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଦିବ୍ୟା ଦେଶମୁଖ । ତେବେ କିଏ ସେ ଏହି ଦିବ୍ୟା ? ଭାରତର ଷ୍ଟାର ମହିଳା ଚେସ ଖେଳାଳି କୋନେରୁ ହମ୍ପିଙ୍କୁ ହରାଇ ଦିବ୍ୟା ମହିଳା ବିଶ୍ୱକପର ଟାଇଟଲ ହାସଲ କରିଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅବଶ୍ୟ ହମ୍ପି ସାମାନ୍ୟ ଭୁଲ କରିଥିଲେ, ଯାହାର ଫାଇଦା ଦିବ୍ୟା ଉଠାଇଥିଲେ । ଏଥିସହ ସେ ଫିଡେ ମହିଳା ଚେସ ବିଶ୍ୱକପ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ୯ ଡିସେମ୍ବର ୨୦୦୫ରେ ଦିବ୍ୟାଙ୍କ ଜନ୍ମ ନାଗପୁରରେ ହୋଇଥିଲା । ୫ ବର୍ଷ ବୟସରୁ ସେ ଚେସ ଖେଳିବା ଆରମ୍ଭ କରିଥିଲେ । ୨୦୧୨ରେ ମାତ୍ର ୭ ବର୍ଷ ବୟସରେ ସେ ଜାତୀୟ ଚାମ୍ପିୟନଶିପ ଜିତିଥିଲେ । ଏହା ପରେ ୨୦୧୪ରେ ଡର୍ବାନରେ ଆୟୋଜିତ ୧୦ ବର୍ଷରୁ କମ ଓ ୨୦୧୭ରେ ବ୍ରାଜିଲରେ ୧୨ ବର୍ଷରୁ କମ ୟୁଥ ଟାଇଟଲ ହାସଲ କରିଥିଲେ ।

୨୦୨୩ରେ ସେ ଇଂଟରନ୍ୟାଶନାଲ ମାଷ୍ଟର ମଧ୍ୟ ନିଜ ନାମରେ କରିଥିଲେ । ୨୦୨୪ରେ ୱାର୍ଲ୍ଡ ଜୁନିୟର ବାଳିକା ୨୦ ବର୍ଷରୁ କମ ବିଭାଗରେ ମଧ୍ୟ ବାଜି ମାରିଥିଲେ । ୪୫ତମ ଚେସ ଅଲିମ୍ପିଆଡରେ ଭାରତକୁ ସ୍ୱର୍ଣ୍ଣ ପଦକ ହାସଲ କରାଇବାରେ ମଧ୍ୟ ଦିବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଦିବ୍ୟା ଦେଶମୁଖ ଫିଡେ ୱାର୍ଲ୍ଡ ବ୍ଲିଜ ଟିମ ଚେସ ଚାମ୍ପିୟନଶିପରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ହୋଉ ୟିଫାନଙ୍କୁ ହରାଇଥିଲେ । ଦିବ୍ୟା ଜଣେ ଆକ୍ରମଣାତ୍ମକ ଚେସ ଖେଳାଳି ବୋଲି ତାଙ୍କ କୋଚ ଶ୍ରୀନାଥ କହିଛନ୍ତି । ଆଗକୁ ସେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.