Latest Odisha News

BREAKING NEWS

ଲସ୍କର ସହଯୋଗ ବିନା ଆକ୍ରମଣ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦୁନିଆ ଆଗରେ ଖୋଲିଛି ପାକିସ୍ତାନର ପୋଲ୍ । ଆତଙ୍କବାଦୀ ହମଲାରେ ନିଜ କନେକ୍ସନ୍ ନେଇ ବାରମ୍ବାର ମନା କରିଆସୁଥିଲା ପାକିସ୍ତାନ । ହେଲେ ଏବେ ଜାତିସଂଘ ସୁରକ୍ଷା ପରିଷଦ ରିପୋର୍ଟରେ ପହଲଗାମ ଆକ୍ରମଣରେ ବିଧିବଦ୍ଧ ଭାବେ ଦି ରେଜିଷ୍ଟାନସ ଫ୍ରଣ୍ଟ ବା ଟିଆରଏଫର ଭୂମିକା ଦର୍ଶାଯାଇଛି । ପାକିସ୍ତାନର କୁଟନୈତିକ ପ୍ରତିରୋଧ ସତ୍ବେ ରିପୋର୍ଟରେ ଟିଆରଏଫକୁ ସାମିଲ କରାଯାଇଛି। ଗତ ମେ ମାସରେ ଭାରତର ଏକ ଟେକ୍ନିକାଲ ଟିମ୍ ଜାତିସଂଘର ସାଙ୍କସନ କମିଟି ଆଗରେ ଏନେଇ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲା । ଟିଆରଏଫ ଦୁଇ ଦୁଇ ଥର ଆକ୍ରମଣସ୍ଥଳର ଫଟୋ ଜାରି କରିଥିବା ଏବେ ୟୁଏନଏସସି କହିଛି । ଏହାସହ ପାକିସ୍ତାନରେ ଥିବା ଲସ୍କର-ଏ-ତୋଏବାର ବିନା ସହଯୋଗରେ ଆକ୍ରମଣ ହୋଇପାରିନଥାନ୍ତା ବୋଲି କୁହାଯାଇଛି ।

ଲସ୍କର ସହଯୋଗ ବିନା ଆକ୍ରମଣ ସମ୍ଭବ ନୁହେଁ

ୟୁଏନଏସସିର ନିରୀକ୍ଷଣକାରୀ ଟିମ୍ ପହଲଗାମ ଆକ୍ରମଣ ନେଇ ରିପୋର୍ଟ ଉପସ୍ଥାପନ କରିଛି । ଏଥିରେ ଏପ୍ରିଲ ୨୨ତାରିଖରେ ଜାମ୍ମୁ କାଶ୍ମୀରର ପହଲଗାମରେ ୫ଜଣ ଆତଙ୍କବାଦୀ ଆକ୍ରମଣ କରିଥିବା କୁହାଯାଇଛି । ସେହିଦିନ ହିଁ ଟିଆରଏଫ୍ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଘଟଣାସ୍ଥଳର ଫଟୋ ଜାରି କରିଥିଲା । ଏହାର ପରଦିନ ମଧ୍ୟ ଟିଆରଆଫ୍ ଆକ୍ରମଣ ପାଇଁ ନିଜକୁ ଉତ୍ତରଦାୟୀ କରିଥିଲା । ତେବେ ଏପ୍ରିଲ ୨୬ତାରିଖରେ ଏଥିରୁ ପଛକୁ ହଟିଥିଲା ଟିଆରଏଫ୍ । ଏହାପରେ ନା ଟିଆରଏଫର କୌଣସି ବୟାନ ଆସିଥିଲା ନା ଅନ୍ୟ କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଲକ୍ସର-ଏ-ତୋଏବାର ବିନା ସହଯୋଗରେ ଆକ୍ରମଣ ହୋଇପାରିନଥାନ୍ତା ବୋଲି କମିଟିକୁ ଦୁଇ ସଦସ୍ୟ ଦେଶ କହିଛନ୍ତି । ସେହିପରି ଗୋଟିଏ ସଦସ୍ୟ ଦେଶ ଲସ୍କରର ଅନ୍ୟ ନାଁ ଟିଆରଏଫ୍ ବୋଲି କହିଛି ।

ଧରାପଡିଲା ପାକିସ୍ତାନର ମିଛ

ପୂରା ଦୁନିଆ ଆଗରେ ପାକିସ୍ତାନର ପୋଲ୍ ଖୋଲିଛି ୟୁଏନଏସସି ରିପୋର୍ଟ । ପଡୋଶୀ ପାକିସ୍ତାନ କେମିତି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେନେଇ ଭାରତର ଦାବି ସତ ପ୍ରମାଣିତ ହୋଇଛି । ଆଇଏସଆଇଏଲ୍ (ଦାଏସ୍), ଅଲକାଏଦା ପରି ଆତଙ୍କବାଦୀ ସଂଗଠନର ନୀରିକ୍ଷଣ କରିଥିବା କମିଟି ପହଲଗାମ ଆକ୍ରମଣ ନେଇ ରିପୋର୍ଟ ଦେଇଛି । ୨୦୧୯ ପରେ ପ୍ରଥମ ଥର ପାଇଁ ୟୁଏନଏସସି ରିପୋର୍ଟରେ ଲସ୍କର-ଏ-ତୋଏବାର ନାଁ ଆସିଛି । ଏହାସହ ରିପୋର୍ଟରେ ଅଲକାଏଦା ଓ ଏହାସହ ସଂପର୍କିତ ବ୍ୟକ୍ତିବିଶେଷଙ୍କୁ ନେଇ ବି ଉଲ୍ଲେଖ ରହିଛି । ଏହାପୂର୍ବରୁ ଟିଆରଏଫକୁ ବିଦେଶୀ ଆତଙ୍କବାଦୀ ସଂଗଠନ ଓ ସ୍ବତନ୍ତ୍ର ଭାବେ ନାମିତ ବିଶ୍ବ ଆତଙ୍କବାଦ ସଂଗଠନ ଭାବେ ସୂଚୀବଦ୍ଧ କରାଯାଇଥିଲା ।

ଆସିଲା ଟିଆରଏଫ୍ ନାଁ, କ’ଣ କରିବ ପାକିସ୍ତାନ?

ଟିଆରଏଫ୍ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ କମିଟିର ନିରୀକ୍ଷଣ ଟିମ ରିପୋର୍ଟରେ ସାମିଲ ହେବା ପାକିସ୍ତାନ ପାଇଁ ବଡ଼ ଝଟକା । କାରଣ କମିଟିର ସମସ୍ତ ନିଷ୍ପତ୍ତି ସୁରକ୍ଷା ପରିଷଦ ସଦସ୍ୟଙ୍କ ଦ୍ବାରା ସର୍ବସମ୍ମତିକ୍ରମେ ନିଆଯାଏ । ପାକିସ୍ତାନର ବିଦେଶ ମନ୍ତ୍ରୀ ପୂର୍ବରୁ ଦେଶର ଜାତୀୟ ଆସେମ୍ବଲିରେ ୟୁଏନଏସସିର ପ୍ରେସ ବୟାନରୁ ଟିଆରଏଫ୍ ନାଁ ହଟାଇଥିବା ନେଇ କହିଥିଲେ । ତେବେ ରିପୋର୍ଟରେ ଟିଆରଏଫ୍ ନାଁ ଆସିବା ସୂଚାଉଛି ବିଶ୍ବ ସମୁଦାୟ ପାକିସ୍ତାନର ମିଛ ଓ ବିଭ୍ରାନ୍ତିକର ଗପ ଉପରେ ବିଶ୍ବାସ କରୁନାହାନ୍ତି । ଭାରତ ଚଳିତ ବର୍ଷ ଏପ୍ରିଲ ଓ ମେ ରେ ଟିଆରଏଫର ବଢୁଥିବା ପ୍ରଭାବ ଓ ଲସ୍କର ସହ ଏହାର ସଂପର୍କ ନେଇ କମିଟିକୁ ତଥ୍ୟ ଦେଇଥିଲା । ରିପୋର୍ଟରେ ଆତଙ୍କବାଦୀ ସଂଗଠନ ଆଞ୍ଚଳିକ ଉତ୍ତେଜନାର ଫାଇଦା ଉଠାଇ ପାରନ୍ତି ବୋଲି ଚେତାବନୀ ଦିଆଯାଇଛି । ଆଗକୁ ୟୁଏନଏସସିର ପ୍ରତିବନ୍ଧକ କମିଟି ବୈଠକରେ ପୁଣି ମାମଲା ଉଠାଯିବ । ସେତେବେଳେ ଟିଆରଏଫ୍ ଉପରେ ବିଧିବଦ୍ଧ ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରୁଛି ଭାରତ । ଏଥିରେ ସଫଳ ହେଲେ ବିଶ୍ବ ମଞ୍ଚରେ ଭାରତ ପାଇଁ ଏକ ବଡ଼ କୁଟନୈତିକ ବିଜୟ ହେବ ।

Comments are closed.