ଢେଙ୍କାନାଳ: ହିନ୍ଦୋଳ ଥାନା ବାଘ ଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ରାସୋଳ ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ମୃତକମାନେ ହେଲେ ଝୁଲଣା ଦେହୁରୀ (୫୫), ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳେ ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଦେଢ଼ଶୂର କରୁଣାକର ଦେହୁରୀ ବାହାରକୁ ଆସିଥିଲେ। ହାତୀ କରୁଣାକରଙ୍କୁ ଦେଖି ଆକ୍ରମଣ କରିଥିଲା। ଉଭୟ ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ହାତୀ ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଘଟି ଚାଲିଥିବାବେଳେ ପ୍ରଶାସନ ଏନେଇ ନୀରବ ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାପରେ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ପୁରୁଣା କଟକସମ୍ବଲପୁର ରାସ୍ତା ସାତ ମାଇଲ ଛକରେ ଲୋକେ ମୃତଦେହକୁ ରାସ୍ତାରେ ରଖି ରାସ୍ତା ରୋକ କରିଛନ୍ତି। ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସହିତ ହାତୀ ଆକ୍ରମଣରୁ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ସୌର ବାଡ଼ ନିର୍ମାଣ ପାଇଁ ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ଏସଡିପିଓ ସତ୍ୟ କୁମାର ନନ୍ଦ, ଆଇଆଇସି ଚାରୁଲତା ବେହେରା ଏବଂ ଫରେଷ୍ଟ ରେଞ୍ଜର ଗୌତମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।
Comments are closed.