Latest Odisha News

BREAKING NEWS

ମାଲେଗାଓଁ ବିସ୍ଫୋରଣ: ପୂର୍ବତନ ବିଜେପି ସାଂସଦଙ୍କ ସମେତ ସମସ୍ତେ ନିର୍ଦ୍ଦୋଷରେ ଖଲାସ୍

ମୁମ୍ବାଇ: ମାଲେଗାଓଁ ବିସ୍ଫୋରଣ, ୧୭ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ସମସ୍ତ ଅଭିଯୁକ୍ତ । ୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାର ରାୟ ୧୭ ବର୍ଷ ପରେ ଗୁରୁବାର, ଅର୍ଥାତ୍ ଆଜି ଣୁଣାଣି ହୋଇଥିବା ବେଳେ ଏଥିରେ କୋର୍ଟ କିଛି ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମାମଲାରେ, ଏନଆଇଏ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି ଯେ ସନ୍ଦେହ ଆଧାରରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ଥିଲେ । ତାଙ୍କ ସହିତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା ।

କୋର୍ଟରେ ରାୟ ପଢ଼ିବା ସମୟରେ ବିଚାରପତି କହିଛନ୍ତି ଯେ ତଦନ୍ତରେ ଅନେକ ତ୍ରୁଟି ଥିଲା। ସରକାରୀ ପକ୍ଷ ପ୍ରମାଣ କରିପାରିଲା ନାହିଁ ଯେ ବିସ୍ଫୋରଣ ବାଇକ୍‌ରେ ହୋଇଥିଲା । ବିଚାରପତି ଏହା ମଧ୍ୟ କହିଛନ୍ତି ଯେ ପଞ୍ଚନାମା ଠିକ୍ ଭାବରେ କରାଯାଇ ନଥିଲା ବାଇକଟି ସାଧ୍ୱୀ ପ୍ରଜ୍ଞାଙ୍କ ନାମରେ ଥିଲା କି ନାହିଁ ତାହା ମଧ୍ୟ ପ୍ରମାଣିତ ହୋଇପାରିଲା ନାହିଁ । ମାଲେଗାଓଁ ବିସ୍ଫୋରଣରେ ବାଇକର ଚେସିସ୍ ନମ୍ବର ମିଳିପାରିଲା ନାହିଁ । ତେଣୁ କୋର୍ଟ କହିଛନ୍ତି ବାଇକଟି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କର ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯାହା ଦାବି କରିଛନ୍ତି, ସେଗୁଡ଼ିକୁ କୋର୍ଟରେ ପ୍ରମାଣିତ କରାଯାଇପାରିଲା ନାହିଁ । ତେଣୁ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଗଲା ।

ସୂଚନାଯୋଗ୍ୟ, ୨୯ ସେପ୍ଟେମ୍ବର ୨୦୦୮ରେ ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଓଁରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ଜଣ ପ୍ରାଣ ହରାଇଥିଲେ। ବିସ୍ଫୋରଣ ଯୋଗୁଁ ୧୦୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ। ଲୋକମାନେ ନମାଜ ପାଠ କରିବାକୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ, ୩୦ ସେପ୍ଟେମ୍ବର ୨୦୦୮ରେ, ମାଲେଗାଓଁର ଆଜାଦ ନଗର ଥାନାରେ ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ।

ମାମଲାର ପ୍ରାରମ୍ଭିକ ତଦନ୍ତ ପୋଲିସ କରିଥିଲା, କିନ୍ତୁ ଏହା ପରେ ସମ୍ପୂର୍ଣ୍ଣ ତଦନ୍ତ ଏଟିଏସ ହାତକୁ ଯାଇଥିଲା । ତଦନ୍ତରୁ ଜଣାପଡିଲା ଯେ ଏଲଏମଏଲ ଫ୍ରିଡମ୍ ବାଇକ୍‌ରେ ବୋମା ରଖାଯାଇଥିଲା । ଏହା ବିସ୍ଫୋରଣ ଘଟାଇଥିଲା, କିନ୍ତୁ ବାଇକ୍‌ରେ ଥିବା ନମ୍ବର ଭୁଲ ଥିଲା। ଯେତେବେଳେ ବାଇକ୍‌ର ତଦନ୍ତ ଆରମ୍ଭ ହୋଇଥିଲା, ସେତେବେଳେ ଦାବି କରାଯାଇଥିଲା ଯେ ଏହା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମରେ ଥିଲା। ବିସ୍ଫୋରଣର ପ୍ରାୟ ଗୋଟିଏ ମାସ ପରେ, ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ଆଉ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଏହି ମାମଲାରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ଏଟିଏସ୍ ଦାବି କରିଥିଲା ଯେ ୨୦୦୮ ମସିହାରେ ଗିରଫ ହୋଇଥିବା ପ୍ରଜ୍ଞା ଠାକୁର ବିସ୍ଫୋରଣରେ ବ୍ୟବହୃତ ମୋଟରସାଇକେଲର ମାଲିକ ଥିଲେ ଏବଂ ଏହା ମଧ୍ୟ ଦାବି କରାଯାଇଥିଲା ଯେ ସାମରିକ ଗୁପ୍ତଚର ବିଭାଗରେ ନିଯୁକ୍ତ ସେତେବେଳର ସେନା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତ ବିସ୍ଫୋରକ ବ୍ୟବସ୍ଥା କରିବାରେ ସାହାଯ୍ୟ କରିଥିଲେ ଏବଂ ଅଭିନବ ଭାରତ ସହିତ ବୈଠକର ଅଂଶ ଥିଲେ । କିନ୍ତୁ ଏହାକୁ ପ୍ରମାଣ ନକରାଯାଇପାରିବରୁ ଏସବୁ ଖାରଜ କରିଛନ୍ତି କୋର୍ଟ ।

ଏହାବ୍ୟତୀତ କୋର୍ଟ ବିସ୍ଫୋରଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିଲେ ମଧ୍ୟ ୧୦୧ ଜଣ ଆହତ ହୋଇଥିବା ଅଭିଯୋଗର ଯୁକ୍ତିକୁ କୋର୍ଟ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏଥିସହିତ ମାଲେଗାଓଁ ବିସ୍ଫୋରଣରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେ ଦେଇଛନ୍ତି କୋର୍ଟ ।

Comments are closed.