Latest Odisha News

BREAKING NEWS

ଖୋଲିଲା ଭିତରକନିକା, ପ୍ରଥମଥର ପର୍ଯ୍ୟଟକଙ୍କ ପାଇଁ ଚାଲିବ ୪ଟି ବ୍ୟାଟ୍ରି ଚାଳିତ ଗାଡି

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍‌ଗ୍ରୁଭ୍‌ ନର୍ସରୀରେ ଦେଖିବାର ସୁଯୋଗ ପାଇବେ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ଆଜିଠୁ ପର୍ଯ୍ୟଟକ, ଗବେଷକ, ପ୍ରକୃତିକୁ ଭଲ ପାଉଥିବା ଲୋକେ ମିନି-ଆମାଜନ୍‌ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ। ପ୍ରଥମଥର ପର୍ଯ୍ୟଟକଙ୍କ ପାଇଁ ଚାଲିବ ୪ଟି ବ୍ୟାଟ୍ରି ଚାଳିତ ଗାଡି। ଜୀବନଜନ୍ତୁଙ୍କୁ ନିଆରା ଢଙ୍ଗରେ ଦେଖିବା ପାଇଁ ଗତବର୍ଷଠାରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍କାଏ-ୱାକ୍‌ ବ୍ରିଜ୍‌ ନିର୍ମାଣ କରାଯାଇଛି। ଯାହା ପର୍ଯ୍ୟଟକମାନଙ୍କୁ ବେଶ ପସନ୍ଦ ଆସୁଛି। ଜଙ୍ଗଲ ଭିତରେ ଦୁଇପଟରେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି।

ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ । ଭିତରକନିକାରେ ପର୍ଯ୍ୟଟକମାନେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍‌‌ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ଓ ମ୍ୟୁଜିୟମ ଦେଖିବା ସହ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ସ୍କାଏ ୱାକ୍‌‌ ବ୍ରିଜ, ୱାଚ୍‌‌ ଟାଓା୍ୱର, ସେଲ୍‌ଫଫି ପଏଣ୍ଟ, ମ୍ୟାନଗ୍ରୁଭ ମେଟା ନର୍ସରୀ, ବୋଟ ଲାଇବ୍ରେରୀ, ସହିଦ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ ।

 

Comments are closed.