ଭୁବନେଶ୍ବର: ବଢିଲା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଡୁଆ ! ଜମିକିଣା ଠକାମୀ ମାମଲା, ଫସିଯିବେ କି ମନ୍ତ୍ରୀ? ମନ୍ତ୍ରୀ ହେବା ପରଠୁ କେତେବେଳେ ଆଳୁ ତ କେତେବେଳେ ଧାନ ବିକ୍ରୀକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନେଇ ସାମନାକୁ ଆସିଛି ନୂଆ ବିବାଦ । କୃଷ୍ଣ ପାତ୍ର ଜମି ଠକେଇ ନେଇ ଅଭିଯୋଗ କରିବା ପରେ ଜଣଙ୍କୁ ଗିରଫ କରାଯାଇଛି। ତେବେ ଜମି କିଣିବାକୁ କୃଷ୍ଣ ପାତ୍ର ଦେଇଥିବା ଅର୍ଥକୁ ନେଇ ଏବେ ବିବାଦ ଉଠିଛି। କାରଣ ମନ୍ତ୍ରୀ ନିର୍ବାଚନୀ ସତ୍ୟପାଠରେ ସଂପତ୍ତି ନେଇ ଦେଇଥିବା ତଥ୍ୟ ଜମି ଅର୍ଥ ସହ ମେଳ ଖାଉନି । ତେବେ ପ୍ରଶ୍ନ ଉଠୁଛି, ଫସିଯିବେ କି ମନ୍ତ୍ରୀ କୃଷ୍ଣ ପାତ୍ର?
ଜମି ଠକେଇ ମାମଲା କ’ଣ?
୨୦୨୧ରେ ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାରରେ ୮୨ଏକର ପରିମିତ ଏକ ଜମି କିଣିବାକୁ ବଣସିଂ ଗାଁର ନିରଞ୍ଜନ ଶତପଥୀଙ୍କୁ ୨୫ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ସେତେବେଳେ ଜମିର କାଗଜପତ୍ର ଦେଖାଇ ନିରଞ୍ଜନ ଭରସା ଜିତିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବେଆଇନ ଜମି ହୋଇଥିବାରୁ ପଂଜୀକରଣ ହୋଇପାରିନଥିବା ଅଭିଯୋଗ ହୋଇଛି । ଏହାପରେ ଟଙ୍କା ଫେରସ୍ତ କରିବାକୁ କହିଲେ ମଧ୍ୟ ନିରଞ୍ଜନ ଟଙ୍କା ଫେରାଉନଥିଲେ । ଏନେଇ ଗତ ୨୬ତାରିଖରେ ଢେଙ୍କାନାଳ ଟାଉନ୍ ଥାନାରେ ଏତଲା ଦେଇଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ପରେ ନିରଞ୍ଜନଙ୍କୁ ଗିରଫ କରିଛି ପୋଲିସ ।
କାହିଁକି ବଢିଲା ମନ୍ତ୍ରୀଙ୍କ ଅଡୁଆ?
ଜମି ଠକେଇ ମାମଲାରେ ଗିରଫଦାରୀ ତ ହେଲା, ହେଲେ ଅନ୍ୟପକ୍ଷରେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଡୁଆ ବଢିଛି । କାରଣ ହେଉଛି ମନ୍ତ୍ରୀଙ୍କ ନିର୍ବାଚନୀ ସତ୍ୟପାଠ । ୨୦୨୪ ନିର୍ବାଚନ ସମୟରେ ସତ୍ୟପାଠରେ କୃଷ୍ଣ ପାତ୍ର ଦର୍ଶାଇଛନ୍ତି, ୨୦୨୯-୨୦ ଓ ୨୦୨୦-୨୧ରେ ତାଙ୍କ ପାଖରେ ମୋଟ୍ ୭ଲକ୍ଷ ୩୫ହଜାର ୮୯୦ଟଙ୍କା ଥିଲା । ସେପଟେ ଏଫଆଇଆର କପିରେ ନିରଞ୍ଜନଙ୍କୁ ୨୦୨୧ରେ ୨୫ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି, ସତ୍ୟପାଠ ଯଦି ସତ ତେବେ ମନ୍ତ୍ରୀଙ୍କ ପାଖରେ ୨୫ଲକ୍ଷ ଟଙ୍କା ଆସିଲା କେଉଁଠୁ? ଠକେଇ ଅଭିଯୋଗ ଯଦି ସତ ତେବେ ସତ୍ୟପାଠରେ ମିଛ ତଥ୍ୟ ଦେଇଥିଲେ କି କୃଷ୍ଣ ପାତ୍ର? ସତ୍ୟପାଠ ସତ ନା ଏଫଆଇଆରରେ ଲେଖିଥିବା ଅଭିଯୋଗ ସତ?
ହେବ କି କାର୍ଯ୍ୟାନୁଷ୍ଠାନ ?
ପୂର୍ବରୁ ଧାନ ବିକ୍ରି, ଆଳୁ ଆମଦାନୀ ପରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଆସିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର । ହେଲେ ଏବେ ଅଭିଯୋଗ ମିଛ ସତ୍ୟପାଠ ନେଇ ଆସିଛି । ସରକାର ଏହାକୁ ଗୁରୁତ୍ବର ସହ ନେବାକୁ ବିରୋଧୀ ଦଳ ଦାବି କଲେଣି । କାରଣ ଜଣେ ମନ୍ତ୍ରୀ ନିର୍ବାଚନ ସତ୍ୟପାଠରେ ତାଙ୍କ ପାଖରେ ଯେତିକି ଅର୍ଥ ଥିବା କହିଥିଲେ, ତାଠାରୁ ୪ଗୁଣା ଅଧିକ ଟଙ୍କା ଜମି କିଣିବାକୁ ଦେଇଥିଲେ । ମନ୍ତ୍ରୀ ସ୍ପଷ୍ଟ କରିବା ଦରକାର ୨୫ଲକ୍ଷ ଟଙ୍କାର ସ୍ରୋତ କଣ? ଏଭଳି ଅଭିଯୋଗ ସ୍ବଚ୍ଛ ନିରପେକ୍ଷ ନିର୍ବାଚନ ଉପରେ କୁଠାରଘାତ । ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ଦାବି ହେଲାଣି । ସେପଟେ ଏହା ୪,୫ବର୍ଷ ପୁରୁଣା ମାମଲା ଓ ବ୍ୟକ୍ତିଗତ କଥା ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।
ପୂର୍ବରୁ ବି ବିବାଦରେ କୃଷ୍ଣ ପାତ୍ର
ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ପାଇଁ ବିବାଦ ନୂଆ ନୁହେଁ । କଟନୀ ଛଟନୀ ପ୍ରସଙ୍ଗରେ ଚାଷୀ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ତ ଟୋକନକୁ ନେଇ ଘେରିଛନ୍ତି । ଧାନ ଦର ବଢାଇ ପ୍ରଶଂସା ପାଇବା ବଦଳରେ ବଦନାମ ମୁଣ୍ଡାଇଛନ୍ତି ସରକାର । ବିରୋଧୀଙ୍କୁ ବି ସମାଲୋଚନାର ମଉକା ମିଳିଛି । ଆଳୁ ଦର ବୃଦ୍ଧି ବେଳେ ବି ବୟାନକୁ ନେଇ ବିବାଦକୁ ଆସିଥିଲେ କୃଷ୍ଣ ପାତ୍ର। ଗତବର୍ଷ ଆଳୁ ସଂକଟ ବେଳେ ପଶ୍ଚିମବଙ୍ଗ ଆଳୁ ବନ୍ଦ କରିଦେଇଥିବା ବେଳେ ଏବର୍ଷ ଆଳୁ ପାଇଁ ମମତାଙ୍କୁ ଓଡିଶା ହାତ ପତାଇବନି ବୋଲି ଦମ୍ଭ ଦେଖାଉଥିଲେ । ହେଲେ ଏବେ ପଶ୍ଚିମବଙ୍ଗ ଆଳୁ ଆସିଲେ ରାଜ୍ୟର ଆବଶ୍ୟକତା ପୂରଣ ହେବା କଥା କହିଛନ୍ତି କୃଷ୍ଣ ପାତ୍ର । ନିଜ ବୟାନକୁ ୟୁ-ଟର୍ଣ୍ଣ ନେବା ସହ ବିରୋଧୀଙ୍କୁ ପୁଣି କଟାକ୍ଷ ପାଇଁ ସୁଯୋଗ ଦେଇଛନ୍ତି । ହେଲେ ଏବେ କଥା ସତ ମିଛର । ତେଣୁ ପ୍ରଶ୍ନ ଉଠୁଛି, ମିଥ୍ୟା ସତ୍ୟପାଠକୁ ନେଇ ତଦନ୍ତର ସାମନା କରିବେ କି ମନ୍ତ୍ରୀ? ଅଭିଯୋଗ ସତ ପ୍ରମାଣିତ ହେଲେ କଣ ହେବ? କୃଷ୍ଣ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି? ବିବାଦକୁ ନେଇ ମନ୍ତ୍ରୀ ପଦ ହରାଇବେ କି କୃଷ୍ଣ ପାତ୍ର?
Comments are closed.