Latest Odisha News

BREAKING NEWS

ବିପଦରେ ପାରାଦୀପ! ସହରକୁ ମାଡି ଆସିପାରେ ସମୁଦ୍ର…

ପାରାଦୀପ: କୌଣସି ମୁହୂର୍ତ୍ତରେ ବି ପାରାଦୀପ ଭିତରକୁ ମାଡି ଆସିପାରେ ସମୁଦ୍ର । କୋଷ୍ଟାଲ ହାଇୱେ ଯୋଗୁଁ ଏବେ ବିପଦରେ ରହିଛି ବନ୍ଦର ନଗରୀ ପାରାଦ୍ୱୀପ । ତିଆରି ହେଉଥିବା କୋଷ୍ଟାଲ ହାଇୱେ ପାଇଁ ସମୁଦ୍ରକୂଳ ଲୁଣା ବାଲି ବ୍ୟବହାର ହେଉଥିବାରୁ ଏପରି ବିପଦ ଦେଖାଦେଇଛି ।

କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଜରିଆରେ ଦୀର୍ଘ ୪୪୦ କିଲୋମିଟର କୋଷ୍ଟାଲ ହାଇୱେ ନିର୍ମାଣ ହେବ । ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ପାରାଦୀପ ଦେଇ ପଶ୍ଚିମବଙ୍ଗ ଯାଏଁ ରାସ୍ତା କରାଯିବ । ପାରାଦ୍ୱୀପର ଷଣ୍ଢକୁଦରୁ ହାଇୱେ ନିର୍ମାଣ ଆରମ୍ଭ ହୋଇଛି । ପ୍ରାକୁତିକ ବିପର୍ଯ୍ୟୟ ସମୟରେ ଏହି ହାଇୱେ ଉପକୂଳକୁ ସୁରକ୍ଷା ଦେବା ସହିତ ସମସ୍ତ ସହରକୁ ସଂଯୋଗ କରି ଏକ ଆର୍ଥିକ କରିଡର ତିଆରି କରିବ ବୋଲି ଏହାର ମୂଳ ଉଦ୍ଦେଶ୍ୟ ଥିଲା ।

ହେଲେ ଏହି ରାସ୍ତା ପାରାଦ୍ୱୀପ ଷଣ୍ଢକୁଦ ଠାରୁ ଅଳ୍ପବାଟ ଯାଇଥିବା ବେଳେ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠିଛି । ଢଳେଇ ରାସ୍ତା ତିଆରିରେ ସମ୍ପୃକ୍ତ ଠିକାଦାର ଲୁଣାବାଲି ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ରାସ୍ତା କଡରେ ବଡବଡ ଖାଲ କରି ବାଲି ଉଠାଯାଉଛି । ପ୍ରାକୁତିକଭାବେ ଥିବା ବାଲିକୁଦର ଆଉ ଚିହ୍ନବର୍ଣ୍ଣ ନାହିଁ ।

ସମୁଦ୍ରକୂଳରୁ ୫ଶହ ମିଟର ମଧ୍ୟରେ ଗଛ କାଟି ବାଲି ଉଠାଇ ନିଆଯାଇଛି । ଠିକା ସଂସ୍ଥା ସିଆଇଜେଡ ଆଇନର ଖୋଲାଖୋଲି ଉଲଙ୍ଘନ କରୁଥିଲେ ମଧ୍ୟ ଏତିପ୍ରତି ପ୍ରଶାସନିକ ଦୃଷ୍ଟି ପଡୁନାହିଁ । ଯଦି କେବେ ସାମୁଦ୍ରିକ ଝଡ ହୁଏ ତେବେ ସମୁଦ୍ର କୂଳରେ ସୃଷ୍ଟି ହୋଇଥିବା ପୋଖରୀ କ୍ଷଣକରେ ସମୁଦ୍ରରେ ମିଶିଯିବ, ଆଉ ଲୁଣାବାଲିରେ ତିଆରି ହୋଇଥିବା ରାସ୍ତା ନଷ୍ଟ ହୋଇଯିବ । ଏପରି ହେଲେ ଖୁବ କମ ସମୟ ମଧ୍ୟରେ ଜନବସତିକୁ ସମୁଦ୍ର ମାଡି ଆସିବ ବୋଲି ଆଶଙ୍କା କରାଯାଇଛି ।

ଏହି ହାଇୱେ ଗଞ୍ଜାମରୁ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱରରୁ ପଶ୍ଚିମମେଦିନୀପୁର ଦେଇ ୪୪୦ କିଲୋମିଟର ହେବ । ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଥିଲା । ଲଘୁଚାପ, ବାତ୍ୟା ଓ ସୁନାମୀ ଭଳି ପ୍ରାକୁତିକ ବିପର୍ଯ୍ୟୟରେ ଜନବସତିକୁ ସୁରକ୍ଷା ଦେବ ବୋଲି କୋଷ୍ଟାଲ ହାଇୱେ ହେଉଛି । ସମୁଦ୍ର ବାଲିରେ ଏହି ହାଇୱେ ହେବାରୁ ଏହାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଗରମାଳା ପ୍ରକଳ୍ପ ଆଗେଇ ପାରୁନଥିବା ବେଳେ ନିମ୍ନମାନର କାମ ଲୋକଙ୍କ ଚିନ୍ତା ବଢାଇ ଦେଇଛି ।

ଲୁଣା ବାଲିରେ ରାସ୍ତା ହେଉଥିବାରୁ କାମ ନସରୁଣୁ ରାସ୍ତା ଧିରେଧିରେ ଖରାପ ହେବାରେ ଲାଗିଥିବା ଅଭିଯୋଗ ହୋଇଛି । ସେପଟେ ଏହି ଖବର ଜଣାପଡିବା ପରେ ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଜଣାଯିବ ବୋଲି ସାଂସଦ କହିଛନ୍ତି । ଯଦି କାମ ଖରାପ ହୋଇଛି ଆଉ ସେଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଲୋକଙ୍କ ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏଠାରେ ଲୁଣାବାଲି ବ୍ୟବହାର କରି ସରକାରଙ୍କ ଟଙ୍କା ଚଳୁ କରିବ ।ସହ ଲୋକଙ୍କ ଜୀବନ ଜୀବିକାକୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଉଛି । ତେବେ ଘଟଣାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Comments are closed.