ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶଙ୍କୁ ଟାରିଫରେ ବଡ଼ ରିହାତି ଦେଇଛନ୍ତି। ଭାରତ ଉପରେ ୨୫% ଟାରିଫ ଲଗାଇଛନ୍ତି। ରୁଷିଆ ସହ ବାଣିଜ୍ୟ ପାଇଁ ଅଲଗା ଜରିମାନା ଲଗାଇବାକୁ କହିଛନ୍ତି। ପାକିସ୍ତାନକୁ ୧୯% ଓ ବାଂଲାଦେଶକୁ ୨୦% ଟାରିଫ ଦେଇଛନ୍ତି। ପାକିସ୍ତାନ ସହ ଏକ ବଡ଼ ତୈଳ ଚୁକ୍ତି ମଧ୍ୟ ଘୋଷଣା କରିଛନ୍ତି।
ବାଂଲାଦେଶରେ ଟାରିଫ ୩୫%ରୁ ଘଟି ୨୦% ହୋଇଛି। ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏହାକୁ ‘ନିର୍ଣ୍ଣାୟକ କୂଟନୀତିକ ବିଜୟ’ କହିଛନ୍ତି। ସେ କହିଛନ୍ତି, “ଏହା ବାଂଲାଦେଶର ବୃଦ୍ଧି ଓ ସମୃଦ୍ଧିର ପଥ ଖୋଲିବ।” ୟୁନୁସ ଭାରତ ଉପରେ ଟାରିଫ ଅଧିକ ହୋଇଥିବାରୁ ଖିୁସି ହୋଇଛନ୍ତି। ବାଂଲାଦେଶ ଆମେରିକାଠାରୁ ଗହମ, ଏଲଏନଜି ଓ ବୋଇଂ ବିମାନ କିଣିବାକୁ ଚୁକ୍ତି କରିଛି।
ଟ୍ରମ୍ପ ପାକିସ୍ତାନ ସହ ‘ଐତିହାସିକ’ ତୈଳ ଚୁକ୍ତି ଘୋଷଣା କରିଛନ୍ତି। ପାକିସ୍ତାନର ଟାରିଫ ୨୯%ରୁ ଘଟି ୧୯% ହୋଇଛି। ଟ୍ରମ୍ପ କହିଛନ୍ତି, ପାକିସ୍ତାନର ‘ବିଶାଳ’ ତୈଳ ଭଣ୍ଡାର ଉପରେ ଆମେରିକା କାମ କରିବ। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି, ପାକିସ୍ତାନର ତୈଳ ଭଣ୍ଡାର ସୀମିତ। ଏହା ଦୁଇ ବର୍ଷରୁ ଅଧିକ ଚାହିଦା ପୂରଣ କରିପାରିବ ନାହିଁ।
ପାକିସ୍ତାନର ଭୂ-ରାଜନୈତିକ ଅବସ୍ଥାନ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ନିୟନ୍ତ୍ରଣ ପାଇଁ ପାକିସ୍ତାନ ଆମେରିକାର ମୁଖ୍ୟ ସହଯୋଗୀ। ପାକିସ୍ତାନର ପରମାଣୁ ଅସ୍ତ୍ରକୁ ନେଇ ଆମେରିକା ସତର୍କ। ଚୀନର ପ୍ରଭାବକୁ ରୋକିବା ପାଇଁ ମଧ୍ୟ ଆମେରିକା ପାକିସ୍ତାନକୁ ସମର୍ଥନ କରୁଛି। ପାକିସ୍ତାନ ଆମେରିକାଠାରୁ ଅଶୋଧିତ ତେଲ କିଣିବାକୁ ରାଜି ହୋଇଛି।
ଭାରତ ଉପରେ ୨୫% ଟାରିଫ ଲାଗୁ ହେବ ଆଗଷ୍ଟ ୭ରୁ। ଏହା ଭାରତର ପୋଷାକ, ଇଲେକ୍ଟ୍ରୋନିକ୍ସ ଓ ଫୁଟୱେୟାର ଶିଳ୍ପକୁ ପ୍ରଭାବିତ କରିବ। ଆମେରିକା ସହ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଅଟକି ରହିଛି। ଭାରତ କୃଷି ଓ ଡାଏରୀ ଶିଳ୍ପ କ୍ଷେତ୍ରରେ ଆମେରିକାର ଚାପକୁ ମାନି ନାହିଁ। ଟ୍ରମ୍ପଙ୍କ ଅସନ୍ତୋଷର କାରଣ ଭାରତର ରୁଷିଆ ସହ ବାଣିଜ୍ୟ ଓ ବ୍ରିକ୍ସରେ ସଦସ୍ୟତା।
ଭାରତ ଟ୍ରମ୍ପଙ୍କ ଚାପ ଆଗରେ ନଇଁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଭାରତକୁ ଏକ ବଡ଼ ଶକ୍ତି ଭାବେ ସାରା ବିଶ୍ୱ ଆଗରେ ରଖିଛି। ଭାରତ ବର୍ତ୍ତମାନ ସମାନ ସ୍ତରରେ ବାଣିଜ୍ୟ ଚୁକ୍ତି ଚାହୁଁଛି। ଟ୍ରମ୍ପଙ୍କ ଅପରେସନ ସିନ୍ଦୂର ସମୟରେ ଭାରତ-ପାକିସ୍ତାନ ଯୁଦ୍ଧବିରତି ଦାବିକୁ ମୋଦୀ ଖାରଜ କରିଛନ୍ତି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି। ଏହା ଆମେରିକା ସମେତ ସମସ୍ତଙ୍କ ପାଇଁ ଏକ ବଡ଼ ବଜାର।
Comments are closed.