Latest Odisha News

BREAKING NEWS

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବଡ଼ ବୟାନ ଦେଲେ ପୀଡ଼ିତାଙ୍କ ବାପା…

ନିମାପଡା: ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ପୀଡିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏହି ସମୟରେ ବଳଙ୍ଗା ପୀଡ଼ିତା ବାପାଙ୍କ ବୟାନ୍ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ମାନସିକ ଚିନ୍ତା ଲାଗି ଝିଅ ଜୀବନ ହାରିଛି । ମୋ ଝିଅର ମୃତ୍ୟୁକୁ ନେଇ ରାଜନୀତି କରନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ମୋ ଝିଅ ଲାଗି ପ୍ରାର୍ଥନା କରନ୍ତୁ, ତା’ ଆତ୍ମା ଶାନ୍ତି ପାଉ ବୋଲି ସେ ଗଣମାଧ୍ୟମରେ କହିଛନ୍ତି ।

ଅନ୍ୟପଟେ ବଳଙ୍ଗା ଘଟଣାରେ ଓଡ଼ିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଚକିତ କଲାଭଳି ସୂଚନା ପ୍ରଦାନ କରାଯାଇଛି। ପେଲିସ କହିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି।

ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।

ସୂଚନାଯୋଗ୍ୟ ଯେ, ଅଭିଯୋଗ ଅନୁସାରେ ବଳଙ୍ଗା ପୀଡ଼ିତା ଜଣଙ୍କ ତାଙ୍କ ସାଙ୍ଗଙ୍କ ଘରକୁ ଯାଉଥିବାବେଳେ ତିନି ଜଣ ଦୁର୍ବୁତ୍ତ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରାରମ୍ଭରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଦିଲ୍ଲୀ ଏମ୍ସରେ ୧୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଥିଲେ । ହେଲେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Comments are closed.