Latest Odisha News

BREAKING NEWS

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ: ସ୍ୱୟଂ ଶ୍ରୀରାମ ସ୍ଥାପନ କରିଥିଲେ ପବିତ୍ର ଶିବଲିଙ୍ଗ

କୋରାପୁଟ: ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ । ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର ।

ଏହିସ୍ଥାନର ପୌରାଣିକ କଥାବସ୍ତୁ:

ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି ।

ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀ ପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ ।

ଆଉ ଏକ ବିଶେଷତ୍ୱ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହି ମହୁରେ ପ୍ରଭୁଙ୍କ ମାଜଣା କରାଯାଉଥିଲା ।

ଏଠାକାର ଆକର୍ଷଣ:

ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଲାଗିରହେ । ଗୁମ୍ଫା ଭିତରେ କାଳୀଗାଈ, ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଅଛି ।

ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ ଧରି ଏହି କୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ ।

ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ । ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି।

ଏଠାରେ ପାଳନ ହେଉଥିବା ପର୍ବ:

ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ।

ପର୍ଯ୍ୟଟକଙ୍କ ପାଇଁ ଆବାସ ସୁବିଧା:

ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିଭାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି ।

କିପରି ଯିବେ:

ଯିବା ଆସିବା କରିବାପାଇଁ ଜୟପୁରଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା ରାମଗିରି ପର୍ଯ୍ୟନ୍ତ ରହିଛି । ଅବଶିଷ୍ଟ ୧୩ କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ । ତେବେ କୋରାପୁଟ ସେମିଳିଗୁଡ଼ାଠାରୁ ମଧ୍ୟ ଯାନବାହାନର ସୁବିଧା ରହିଛି ।

Leave A Reply

Your email address will not be published.