Latest Odisha News

ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌; ‘ଅନୁଚିତ,ଅନ୍ୟାୟ ଏବଂ ଅଯୌକ୍ତିକ’ କହିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌ । ଦ୍ବିତୀୟ ୨୫% ଟାରିଫ୍‌କୁ ମିଶାଇଲେ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି ହୋଇଛି । ଏହି ନୂତନ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ୍ ୨୭ ଅଗଷ୍ଟ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଆଦେଶରେ ଲେଖାଯାଇଛି ଯେ ଆମେରିକାର ଅନୁରୋଧ ସତ୍ତ୍ୱେ, ଭାରତ ଋଷରୁ ତେଲ ଆମଦାନି ବନ୍ଦ କରିନଥିଲା। ସେଥିପାଇଁ ଆମେ ଶୁଳ୍କ ଲାଗୁ କରିବାକୁ ବାଧ୍ୟ ହୋଇଛୁ । ଏହା ମଧ୍ୟ ଆମର ସୁରକ୍ଷା ସହିତ ଜଡିତ ଏକ ବିଷୟ।

ଟ୍ରମ୍ପ୍ ଦାବି କରିଛନ୍ତି ଯେ, ଭାରତ ଋଷରୁ ତୈଳ କିଣୁଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ଭାରତ ଆମେରିକାର ଅଭିଯୋଗର ଜବାବ ଦେଇ କହିଥିଲା ଯେ, ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ଟ୍ରମ୍ପଙ୍କ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଉପରେ ଭାରତର କଡ଼ା ପ୍ରତିକ୍ରିୟା ମଧ୍ୟ ଆସିଛି। ନିର୍ଦ୍ଦେଶ ଜାରି ହେବାର ଗୋଟିଏ ଘଣ୍ଟା ମଧ୍ୟରେ,ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେରିକାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଅନୁଚିତ, ଅନ୍ୟାୟ ଏବଂ ଅଯୌକ୍ତିକ।

ଭାରତ ଆମେରିକାର ଏହି ପଦକ୍ଷେପକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଏବଂ କହିଛି ଯେ ବିଶ୍ୱର ଅନେକ ଦେଶ ମଧ୍ୟ ନିଜ ସ୍ୱାର୍ଥ ପାଇଁ ସମାନ ପଦକ୍ଷେପ ନେଉଛନ୍ତି, କିନ୍ତୁ କେବଳ ଭାରତକୁ ଟାର୍ଗେଟ କରାଯାଉଛି। ଭାରତ ନିଜ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ।

ତେବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆମର ମତ ସ୍ପଷ୍ଟ କରିସାରିଛୁ। ଆମେ କହିଛୁ ଯେ ଋଷରୁ ଆମଦାନି କରିବାର ଏକ କାରଣ ଅଛି ଯାହା ବଜାର ସହିତ ଜଡିତ।ଆମର ୧.୪ ବିଲିୟନ ଲୋକଙ୍କ ପାଇଁ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଆବଶ୍ୟକ ଏବଂ ଭାରତ ଯାହା ଆବଶ୍ୟକ ତାହା କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମେରିକା ଏପରି ପଦକ୍ଷେପ ନେଇଛି ଏବଂ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି, ଯେତେବେଳେ ଅନ୍ୟ ଅନେକ ଦେଶ ମଧ୍ୟ ସେମାନଙ୍କର ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ସମାନ ନିଷ୍ପତ୍ତି ନେଉଛନ୍ତି।

ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଏପରି ସମୟରେ ଆସିଛି ଯେତେବେଳେ କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଯାଇପାରନ୍ତି । ସଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗ ଦେଇପାରନ୍ତି । ଅନ୍ୟପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଋଷରେ ଅଛନ୍ତି।

Comments are closed.