Latest Odisha News

BREAKING NEWS

ରେଲୱେ ବାହାର କଲା ବଡ଼ ନିଯୁକ୍ତି, ୪୩୪ ପଦ ପାଇଁ ଭର୍ତ୍ତି ଆରମ୍ଭ

ଭୁବନେଶ୍ୱର: ଯଦି ଆପଣ ନିଯୁକ୍ତିର ସ୍ୱପ୍ନ ଦେଖୁଛନ୍ତି ଏବଂ ପାରାମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ରେଲୱେ ଭର୍ତ୍ତି ବୋର୍ଡ (RRB) ପାରାମେଡିକାଲ ଷ୍ଟାଫ୍‌ର ୪୩୪ଟି ପଦ ପାଇଁ ଆଧିକାରିକ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ୨୦୨୫ ଅଗଷ୍ଟ ୯ରୁ ଆରମ୍ଭ ହୋଇ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ସମଗ୍ର ଭାରତର ବିଭିନ୍ନ ଜୋନାଲ ରେଲୱେରେ ହେବ ଏବଂ ସମସ୍ତ ପଦ ପାଇଁ ବିଜ୍ଞପ୍ତି ହିନ୍ଦୀ ଓ ଇଂରାଜୀ ଉଭୟ ଭାଷାରେ RRBର ଅଫିସିଆଲ ୱେବସାଇଟରେ ଉପଲବ୍ଧ। ଏହି ନିଯୁକ୍ତିରେ ନର୍ସିଂ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ, ଲାବ ଆସିଷ୍ଟାଣ୍ଟ, ଇସିଜି ଟେକ୍ନିସିଆନ, ଡାୟାଲିସିସ ଟେକ୍ନିସିଆନ, ହେଲଥ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର, ରେଡିଓଗ୍ରାଫର ଓ ଏକ୍ସ-ରେ ଟେକ୍ନିସିଆନ ଭଳି ଗୁରୁତ୍ୱପୂର୍ଣ ପଦବି ଅନ୍ତର୍ଭୁକ୍ତ।

ଅନଲାଇନ ଆବେଦନ ୯ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯାଇପାରିବ।ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ୧୦ ସେପ୍ଟେମ୍ବର ଏବଂ ଆବେଦନରେ ସଂଶୋଧନ ପାଇଁ ୧୧ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି। ସମସ୍ତ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହିଁ ଗ୍ରହଣ କରାଯିବ। ଚୟନ ପ୍ରକ୍ରିୟା ଚାରିଟି ପର୍ଯ୍ୟାୟରେ ହେବ: ପ୍ରଥମେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT), ତା’ପରେ ଦସ୍ତାବିଜ ଯାଞ୍ଚ, ମେଡିକାଲ ପରୀକ୍ଷା ଏବଂ ଶେଷରେ ଚୂଡ଼ାନ୍ତ ମେରିଟ ଲିଷ୍ଟ ପ୍ରସ୍ତୁତ ହେବ। ପରୀକ୍ଷା ଅନଲାଇନ ହେବ, ଯେଉଁଥିରେ ସାଧାରଣ ପ୍ରାର୍ଥୀଙ୍କୁ ୯୦ ମିନିଟ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ (ଯେଉଁମାନେ ସ୍କ୍ରାଇବ ସୁବିଧା ନେଉଛନ୍ତି) ୧୨୦ ମିନିଟ ସମୟ ମିଳିବ।

ପରୀକ୍ଷାରେ ମୋଟ ୧୦୦ଟି ବସ୍ତୁନିଷ୍ଠ ପ୍ରଶ୍ନ ରହିବ, ଯେଉଁଥିରେ ପ୍ରତ୍ୟେକ ପ୍ରଶ୍ନରେ ଚାରୋଟି ବିକଳ୍ପ ମଧ୍ୟରୁ ସଠିକ ଉତ୍ତର ବାଛିବାକୁ ହେବ।ଆବେଦନ ଶୁଳ୍କ ସାଧାରଣ ଓ ଅନ୍ୟ ସମସ୍ତ ବର୍ଗ ପାଇଁ ୫୦୦ ଟଙ୍କା, ଯେଉଁଥିରୁ CBTରେ ଉପସ୍ଥିତ ହେବା ପରେ ୪୦୦ ଟଙ୍କା (ବ୍ୟାଙ୍କ ଶୁଳ୍କ କାଟି) ଫେରସ୍ତ ହେବ। ଏସସି, ଏସଟି, ପୂର୍ବତନ ସୈନିକ, ଦିବ୍ୟାଙ୍ଗ, ମହିଳା, ଟ୍ରାନ୍ସଜେଣ୍ଡର, ଅଳ୍ପସଂଖ୍ୟକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା, ଯାହା CBTରେ ଉପସ୍ଥିତ ହେବା ପରେ ବ୍ୟାଙ୍କ ଶୁଳ୍କ କାଟି ଫେରସ୍ତ ହେବ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ RRBର ଆଧିକାରିକ ୱେବସାଇଟ rrbaapply.gov.in ଦେଖିପାରିବେ। ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା ପଦ ଅନୁସାରେ ଭିନ୍ନ ଭିନ୍ନ ରହିଛି, ଯାହା ପ୍ରାର୍ଥୀମାନେ ୱେବସାଇଟରେ ଯାଞ୍ଚ କରିପାରିବେ।

 

Comments are closed.