ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। ଭେଟେରାନ୍ ରାଜନେତା ଏକାଠି। ଗଠନ ହେବ କି ନୂଆ ଆଞ୍ଚଳିକ ଦଳ ? ବନ୍ଧୁମିଳନ ନାଁରେ ଯାଜପୁର ଜିଲ୍ଲା ଓଳାଶୁଣୀରେ ପୁରୁଖା ବିଜେଡି ନେତା ଏକାଠି ହେବା ପରେ ଚର୍ଚ୍ଚା ବଢିଛି, ଆଗକୁ କଣ ହେବ? ବ୍ୟକ୍ତିଗତ ଭୋଜି କହି ପ୍ରସଙ୍ଗ ଏଡାଇ ଯାଇଛନ୍ତି ବରିଷ୍ଠ ରାଜନେତା। ହେଲେ ଏହାପରେ ରାଜ୍ୟରେ ନୂଆ ଆଞ୍ଚଳିକ ରାଜନୈତିକ ଦଳର ଭିତ୍ତି ପଡିଥିବା ଚର୍ଚ୍ଚା ହେଉଛି। ବିଜେଡି କ୍ଷମତାରୁ ଯିବା ପରେ ଅନ୍ତକନ୍ଦଳ ସହ ଯୁଝୁଛି ତ ବିଜେପି ବର୍ଷକର ଶାସନ ଭିତରେ ସେଭଳି କମାଲ କରିପାରିନି। କଂଗ୍ରେସ ଯଦିଓ ଅଣ୍ଟା ଭିଡୁଛି, ହେଲେ ହଠାତ୍ କରିସ୍ମା କରିବାର ଆଶାନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ନୂଆ ଦଳ ପାଇଁ ସୁଯୋଗ ଥିବା ବେଳେ ବରିଷ୍ଠ ନେତା ଏକାଠି ହେବା ନୂଆ ରାଜନୈତିକ ଗତିବିଧି ନେଇ ସଙ୍କେତ ଦେଉଛି।
ଯାଜପୁରରୁ ବିକଳ୍ପ ସମୀକରଣ !
ଦିନେ ବିଜେଡିର ଗଡ଼ ରହିଥିବା ଯାଜପୁରର ଓଳାଶୁଣୀରେ ଏକାଠି ହୋଇଛନ୍ତି ପୂର୍ବତନ ବରିଷ୍ଠ ବିଜେଡି ନେତା। ବନ୍ଧୁମିଳନ ଡାକିଥିଲେ ପ୍ରଭାତ ତ୍ରିପାଠୀ। ଆଉ ଏଥିରେ ସାମିଲ ହୋଇଥିଲେ ପୂର୍ବତନ ବିଜେଡି ନେତା ଅମର ଶତପଥୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି, ରାମଚନ୍ଦ୍ର ହାଁସଦାଙ୍କ ପରି ହେଭିଓ୍ବେଟ୍ ନେତା। ବନ୍ଧୁମିଳନରେ କଣ ଆଲୋଚନା ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଭିତ୍ତି ପଡିିଥିବା ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବରୁ ମଧ୍ୟ ଗୋଟିଏ ମଞ୍ଚରେ ବିଜୟ ମହାପାତ୍ର, ରବି ନାରାୟଣ ପାଣିଙ୍କ ସହ ବହୁ ବରିଷ୍ଠ ନେତା ଏକାଠି ହୋଇଥିଲେ। ଏହାପରେ ଓଳାଶୁଣୀ ବନ୍ଧୁମିଳନ ଚର୍ଚ୍ଚାକୁ ବଢାଇଛି।
କାହିଁକି ନୂଆ ଆଞ୍ଚଳିକ ଦଳ ଚର୍ଚ୍ଚା?
ଆଞ୍ଚଳିକ ଦଳ ଭାବେ ବିଜେଡିକୁ ଯେଉଁ ସଫଳତା ମିଳିିଛି, ରାଜ୍ୟରେ ଅନ୍ୟ କୌଣସି ଦଳକୁ ମିଳିନି। ବିଜେଡି ଗଠନ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା କିଛି ବରିଷ୍ଠ ନେତା ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ବିଜେଡିରୁ ଦୂରେଇ ଯାଇଥିବା ଏହି ନେତାମାନେ ଅନ୍ୟ ଦଳରେ ସାମିଲ ନହୋଇ ବିକଳ୍ପ ଆଞ୍ଚଳିକ ଦଳ ଗଠନ ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି। ପ୍ରାଥମିକ ସ୍ତରରେ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରାଯାଇଛି। ପ୍ରାୟ 30ଜଣ ପୂର୍ବତନ ବିଧାୟକ ଓ ସାଂସଦଙ୍କ ସମର୍ଥନ ଥିବା କୁହାଯାଉଛି। ଏପରିକି କିଛି ବରିଷ୍ଠ ବିଜେଡି ବିଧାୟକ ମଧ୍ୟ ଗୋପନ ସମର୍ଥନ ଦେଉଥିବା ଚର୍ଚ୍ଚା ହେଉଛି। ଆସନ୍ତା ମାସ ପୁଣି ଥରେ ବୈଠକ ହୋଇପାରେ। ଆସନ୍ତା ବର୍ଷ ସୁଦ୍ଧା ଦଳ ଗଠନ କରି 2027ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମଇଦାନକୁ ଓହ୍ଲାଇବାକୁ ଯୋଜନା ହେଉଥିବା କୁହାଯାଉଛି।
କଣ କହୁଛି ରାଜନୈତିକ ପାଣିପାଗ?
ଆଞ୍ଚଳିକ ଦଳ ପାଇଁ ଏବେ ରାଜ୍ୟ ରାଜନୈିତିକ ପାଣିପାଗ ଅନୁକୂଳ ରହିଛି। 24ବର୍ଷ ଧରି କ୍ଷମତାରେ ରହିବା ପରେ ବିପର୍ଯ୍ୟୟର ସାମନା କରିଛି ବିଜେଡି। ଏହାପରଠୁ ଦଳ ଭିତର କଳି ସାମନାକୁ ଆସିଛି। ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ବିଜେଡି ଅନ୍ତକନ୍ଦଳ ଚର୍ଚ୍ଚାରେ ରହିଛି। ସେହିପରି ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିଲେ ମଧ୍ୟ ଗତ ବର୍ଷକ ମଧ୍ୟରେ ସେଭଳି ପ୍ରଦର୍ଶନ କରିପାରିନି। ସେଠି ବି ଦଳ ଭିତରେ ଅସନ୍ତୋଷ ରହିଛି। ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସ ସଂଗଠିତ ରହିଥିଲେ ମଧ୍ୟ ଏବେବି ପ୍ରଣ୍ଟଫୁଟରେ ଟକ୍କର ଦେବା ଭଳି ସ୍ଥିତିରେ ନାହିଁ। ରାଜ୍ୟର ତିନି ପ୍ରମୁଖ ଦଳ ସଂଘର୍ଷ କରୁଥିବା ବେଳେ ନୂଆ ଆଞ୍ଚଳିକ ଦଳ ଅନେକଙ୍କ ପାଇଁ ବିକଳ୍ପ ସାଜିପାରେ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଦିଲ୍ଲୀରେ କେନ୍ଦ୍ର ବିରୋଧରେ ସେଭଳି ସ୍ବର ଉଠାଉନାହିଁ। ବିଭିନ୍ନ ପ୍ରସଙ୍ଗରେ ନରମ ସ୍ବର ରଖିଛି ବିଜେଡି। କଂଗ୍ରେସ ସ୍ବର ଉଠାଉଥିଲେ ମଧ୍ୟ ସଂଖ୍ୟା ଦୃଷ୍ଟିରୁ ପଛରେ ରହିଛି। ଫଳରେ ଦିଲ୍ଲୀରେ ଓଡିଶା ସମସ୍ୟାକୁ ସେଭଳି ଉପସ୍ଥାପନ କରାଯାଇପାରୁନି। ତେଣୁ ରାଜ୍ୟରେ ବିକଳ୍ପ ଆଞ୍ଚଳିକ ଦଳ ପାଇଁ ସୁଯୋଗ ରହିଛି। ଆଉ ଏହାର ଫାଇଦା ନେଇ ଭିନ୍ନ ଭିନ୍ନ ଶକ୍ତି ଏକାଠି ହେଉଛନ୍ତି। କୌଣସି ଜାତୀୟ ଦଳ ସହ ହାତ ନମିଳାଇ ଏହି ଆଞ୍ଚଳିକ ଦଳ କେବଳ ଓଡିଶାର ସ୍ବର ପାଲଟିବ। ବିଜେଡି ପାଇଁ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଉଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ଏବେଠୁ ମାନସ ମନ୍ଥନ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।
Comments are closed.