Latest Odisha News

BREAKING NEWS

Odisha Yatri App: ଓଡ଼ିଶା ଯାତ୍ରୀ ଆପ୍‌ ସହାୟତାରେ କିଣିପାରିବେ ଆମ ବସ୍‌ ଏବଂ ଚିଲିକା ବୋଟିଂ ଟିକେଟ୍

ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖକର ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି ।

ରାଜ୍ୟ ସରକାରଙ୍କ ଆମ ବସ୍‌ ସେବା ଅଧୀନରେ ଚଳାଚଳ କରୁଥିବା ଯେକୌଣସି ବସ୍‌ରେ ଯାତାୟାତ ନିମନ୍ତେ ଏହି ଆପ୍‌ ମାଧ୍ୟମରେ ବିନା କୌଣସି ବାଧାରେ ଟିକେଟ୍‌ ବୁକିଂ କରି ସୁରକ୍ଷିତ ଏବଂ ଆରାମଦାୟକ ବସ୍‌ ଯାତ୍ରାର ଲାଭ ପାଇପାରିବେ । ଅନୁରୂପ ଭାବେ ଚିଲିକା ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ସାତପଡ଼ା ଠାରେ ସେମାନଙ୍କ ସୁବିଧା ମୁତାବକ ବୋଟିଂ ନିମନ୍ତେ ଏହି ଆପ୍‌ ମାଧ୍ୟମରେ ଟିକେଟ୍‌ ବୁକିଂ କରି ଡିଜିଟାଲ ଟିକେଟ୍‌ ପାଇପାରିବେ । ବୋଟିଂ ଆରମ୍ଭ ପୂର୍ବରୁ ଏହି ଡିଜିଟାଲ ଟିକେଟ ଯାଞ୍ଚ କରାଯାଇ ଯାତ୍ରା ନିମନ୍ତେ ଅନୁମତି ଦିଆଯିବ ।

ସମସ୍ତ ଆଣ୍ଡରୋଏଡ୍‌ ପ୍ଳାଟଫର୍ମରେ ଏହି ଆପ୍‌ ଉପଲବ୍ଧ ହୋଇସାରିଥିବା ବେଳେ ଆଇଓଏସ୍‌ ରେ ନିକଟରେ ଭବିଷ୍ୟତରେ ଉପଲବ୍ଧ ହେବ । ଏହା ସହିତ ଯାତ୍ରୀଙ୍କ ମତାମତକୁ ଭିତ୍ତିକରି ଟିକେଟ୍‌ ବୁକିଂ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକ ସୁଧାର ଅଣାଯିବ ।

ଓଡ଼ିଶା ଯାତ୍ରୀ କେବଳ ଏକ ଡିଜିଟାଲ ସେବା ନୁହଁ, ଯାତ୍ରୀଙ୍କୁ ସାର୍ବଜନୀନ, ଟେକ୍ନୋଲୋଜି ଭିତ୍ତିକ, ତ୍ରୁଟିଶୂନ୍ୟ ସେବା ଯୋଗାଇ ଦେବାର ସଂକଳ୍ପ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ । ଏହି ଡିଜିଟାଲ ପ୍ଳାଟଫର୍ମ ସହାୟତାରେ ବସ୍‌ ସେବା ଏବଂ ବୋଟିଂ ଗୋଟିଏ କ୍ଳକ୍‌ରେ ଉପଲବ୍ଧ ହୋଇପାରିବ ।

Comments are closed.