Latest Odisha News

BREAKING NEWS

GST Revamp: ଜରୁରୀ ସାମଗ୍ରୀକୁ ଆଶ୍ବସ୍ତି, ଲଗଜରୀକୁ ପ୍ରହାର!

ନୂଆଦିଲ୍ଲୀ:  ଦୀପାବଳି ପୂର୍ବରୁ ଦୀପାବଳି ଉପହାର ଦେଇଛନ୍ତି ସରକାର । GST ହାରରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଯାହା ୨୨ ସେପ୍ଟେମ୍ବର ୨୦୨୫ ରୁ ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷରେ ବଡ ପରିବର୍ତ୍ତନ ପରିଲକ୍ଷିତ ହେବାକୁ ଯାଇଛି । GST ପରିଷଦର ୫୬ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ, କିଛି ଉପରେ ଟିକସ ହ୍ରାସ ପାଇବ ଏବଂ କିଛି ବିଳାସପୂର୍ଣ୍ଣ ଏବଂ ନିଶା ଦ୍ରବ୍ୟ, ଯେପରିକି ମଦ, ସିଗାରେଟ୍, ତମାଖୁ, କାସିନୋ, ଅନଲାଇନ୍ ଗେମିଂ ଉପରେ ଅଧିକ ଟିକସ ଲାଗୁ ହେବ। ତେବେ ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ? କେଉଁ ସେବା ଉପରେ ଏବେ ଅଧିକ ଟିକସ ଲାଗୁ ହେବ? ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ନୂଆ ନିୟମ କ’ଣ ହେବ?

କ’ଣ ଶସ୍ତା, କ’ଣ ମହଙ୍ଗା?

ନୂଆ ଦର ଅନୁସାରେ, ସମସ୍ତ ବ୍ୟକ୍ତିଗତ ଜୀବନ ଓ ସ୍ୱାସ୍ଥ୍ୟ ବୀମା, ଅଲଟ୍ରା-ହାଇ ଟେମ୍ପରେଚର କ୍ଷୀର, ପ୍ୟାକ୍ ହୋଇଥିବା ପନିର, ପରଟା, ରୁଟି, ପିଜା ବ୍ରେଡ୍ ଏବେ କରମୁକ୍ତ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଏବଂ କ୍ୟାନସର, ବିରଳ ଓ ଦୀର୍ଘସ୍ଥାୟୀ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ୩ଟି ଗୁରୁତ୍ୱପୂର୍ଣ୍ଣ ଔଷଧ ମଧ୍ୟ ଶୂନ୍ୟ ଜିଏସଟି ବର୍ଗରେ ଅନ୍ତର୍ଭୁକ୍ତ। ଏଥିସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ଲଗାଇବା ତେଲ, ସାବୁନ, ଶାମ୍ପୁ, ବ୍ରଶ, ପେଷ୍ଟ, ସାଇକେଲ, ଟେବୁଲୱେୟାର, ପାଓ୍ବର ଚଷମା ରୋଷେଇ ସାମଗ୍ରୀ, ଚକଲେଟ, ଶୁଖିଲା ଫଳ, ପାସ୍ତା, କର୍ଣ୍ଣ ଫ୍ଲେକ୍ସ, ନମକିନ୍, ଛତା, ବାଉଁଶ ଆସବାବପତ୍ର ସବୁଥିରେ ଜିଏସଟି ୫%କୁ ହ୍ରାସ କରାଯାଇଛି । ଏୟାର କଣ୍ଡିସନର, ଟିଭି, ଡିସୱାଶର, ସିମେଂଟ, ବସ, ଟ୍ରକ, ଆମ୍ବୁଲାନ୍ସ, ତିନି-ଚକିଆ ଯାନ, ୧୨୦୦ ସିସି ଓ ୪୦୦୦ ଏମ୍ଏମରୁ କମ୍ ଲମ୍ବର ପେଟ୍ରୋଲ, ଡିଜେଲ୍, ହାଇବ୍ରିଡ ଏଲପିଜି ଓ ସିଏନଜି କାର୍, ୧୫୦୦ ସିସିରୁ କମ୍ ଡିଜେଲ୍ ଓ ଡିଜେଲ୍ ହାଇବ୍ରିଡ୍ କାର୍, ତିନିଚକିଆ ଯାନ, ୩୫୦ ସିସିରୁ କମ୍ ମୋଟର ସାଇକେଲ୍, ମେଲବାହୀ ମୋଟର, ଏସବୁ ଉପରେ ୧୮ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ହାର ହ୍ରାସ ପାଇଛି । ତଥାପି କିଛି ବିଳାସମୟ ସାମଗ୍ରୀ ଏବଂ ତମାଖୁ ଜାତୀୟ ଦ୍ରବ୍ୟ ପାନ ମସାଲା, ତମାଖୁ, ସିଗାରେଟ, ବିଡି, ଜର୍ଦା, ମୃଦୁ ପାନୀୟ ସମେତ ଫଳ ରସ ସହିତ କାର୍ବୋନେଟେଡ୍ ପାନୀୟ ପାଇଁ ୪୦% GST ସ୍ଲାବ୍ ଲାଗୁ ହେବ । ଏଥିସହିତ ମୋଟରସାଇକେଲ (350cc ରୁ ଅଧିକ ଇଞ୍ଜିନ କ୍ଷମତା), ରେସିଂ କାର ଏବଂ ବାଇକ୍ର୍, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ, ହେଲିକପ୍ଟର ଓ ୟଟ୍ ଏବଂ ଆଇପିଏଲ ଭଳି ଇଭେଣ୍ଟ ଆଦିରେ ୪୦% ଟିକସ ଆଦାୟ ହେବ ।

ବଢିବ କି ବିଜୁଳି ବିଲ୍?

ଜିଏସଟି ହ୍ରାସ ଖୁସି ଭିତରେ ଏବେ ଚର୍ଚ୍ଚାରେ ରହିଛି ବିଜୁଳି ବିଲ୍ । ଲୋକଙ୍କ ମନରେ ପ୍ରଶ୍ନ ଯେ, ବିଜୁଳି ବିଲ୍ ହ୍ରାସ ପାଇବ ନା ଦର ବଢିବ । ତେବେ ରିପୋର୍ଟ ଅନୁଯାୟୀ, ପୂର୍ବରୁ କୋଇଲା ଉପରେ ପ୍ରତି ଟନ୍ ପ୍ରତି ସେସ୍ ୫% GST ସହିତ ୪୦୦ ଟଙ୍କା ଆଦାୟ କରାଯାଉଥିଲା। ହେଲେ ଏବେ ସେସ୍ ଉଚ୍ଛେଦ କରାଯାଇଛି ଏବଂ ଟିକସକୁ GST ସହିତ ମିଶ୍ରଣ କରାଯାଇଛି। ଏହାର ଅର୍ଥ ହେଉଛି ଆପଣଙ୍କ ବିଲ୍ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ, କି ଦରରେ କିଛି ଖାସ୍ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ ।

ଆମଦାନୀ ଉପରେ କି ପ୍ରଭାବ ପଡିବ?

ଯଦି କୌଣସି ନିର୍ଦ୍ଦିଷ୍ଟ ଜିନିଷକୁ ପୃଥକ ଭାବରେ ଛାଡ କରାଯାଇ ନଥାଏ, ତେବେ ଆମଦାନୀ ହୋଇଥିବା ସାମଗ୍ରୀ ଉପରେ ସମାନ ନୂତନ ହାର ପ୍ରଯୁଜ୍ୟ ହେବ । ଆଉ ୨୨ ସେପ୍ଟେମ୍ବର କିମ୍ବା ତା’ପରେ ବିକ୍ରି ହୋଇଥିବା ସମସ୍ତ ସାମଗ୍ରୀ ଉପରେ ନୂତନ GST ହାର ଲାଗୁ ହେବ। ଏଥିପାଇଁ ପୁରୁଣା ଇ-ୱେ ବିଲ୍ ବୈଧ ରହିବ। ନୂତନ ହାର କାର୍ଯ୍ୟକାରୀ ହେବା ଦ୍ୱାରା ପରିବହନରେ ଥିବା ବିଲ୍ ପ୍ରଭାବିତ ହେବ ନାହିଁ ।

ପଞ୍ଜିକରଣ ସୀମା ପରିବର୍ତ୍ତନ ହୋଇଛି କି?

ସାମଗ୍ରୀ ବିକ୍ରୟ କରୁଥିବା ବ୍ୟବସାୟୀଙ୍କ ପାଇଁ GST ପଞ୍ଜିକରଣର ପୁରୁଣା ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୁରୁଣା ଏବଂ ନୂତନ ହାର ବିଷୟରେ ଏହା ସହିତ ଜଡିତ ବିଜ୍ଞପ୍ତି CBIC ୱେବସାଇଟରେ ପ୍ରକାଶିତ ହେବ। ଯଦି ସାମଗ୍ରୀ ପ୍ରଥମେ ଯୋଗାଇ ଦିଆଯାଇଥିଲା କିନ୍ତୁ ଇନଭଏସ୍ ପରେ କରାଯାଇଥିଲା, କି ଯଦି ପେମେଣ୍ଟ ମଧ୍ୟ ପରେ ପ୍ରାପ୍ତ ହୁଏ, ତେବେ ଇନଭଏସ୍ କିମ୍ବା ପେମେଣ୍ଟ ଦେୟ ତାରିଖ, ଯାହା ପୂର୍ବରୁ ହେବ, ତାହା ବିଚାର କରାଯିବ। ଯଦି ଦେୟ ପୂର୍ବରୁ ଗ୍ରହଣ କରାଯାଇଛି, ତେବେ ଦେୟ ତାରିଖ ପ୍ରଯୁଜ୍ୟ ହେବ। କିନ୍ତୁ ଯଦି ଅଗ୍ରିମ ଦେୟ ନିଆଯାଇଥାଏ କିନ୍ତୁ ଯୋଗାଣ ପରେ କରାଯିବ, ତେବେ ସେପରି କ୍ଷେତ୍ରରେ, ଯୋଗାଣ ସମୟର ନିୟମ CGST ଆଇନର ଧାରା 14 ଅନୁଯାୟୀ ପ୍ରଯୁଜ୍ୟ ହେବ ।

ଆମଦାନୀ ଉପରେ କି ପ୍ରଭାବ ପଡିବ?

ଯଦି କୌଣସି ନିର୍ଦ୍ଦିଷ୍ଟ ଜିନିଷକୁ ପୃଥକ ଭାବରେ ଛାଡ କରାଯାଇ ନଥାଏ, ତେବେ ଆମଦାନୀ ହୋଇଥିବା ସାମଗ୍ରୀ ଉପରେ ସମାନ ନୂତନ ହାର ପ୍ରଯୁଜ୍ୟ ହେବ । ଆଉ ୨୨ ସେପ୍ଟେମ୍ବର କିମ୍ବା ତା’ପରେ ବିକ୍ରି ହୋଇଥିବା ସମସ୍ତ ସାମଗ୍ରୀ ଉପରେ ନୂତନ GST ହାର ଲାଗୁ ହେବ। ଏଥିପାଇଁ ପୁରୁଣା ଇ-ୱେ ବିଲ୍ ବୈଧ ରହିବ। ନୂତନ ହାର କାର୍ଯ୍ୟକାରୀ ହେବା ଦ୍ୱାରା ପରିବହନରେ ଥିବା ବିଲ୍ ପ୍ରଭାବିତ ହେବ ନାହିଁ ।

Comments are closed.