BJD President Naveen Patnaik: ୪ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର: ୪ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ବଢିଛି। ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି।
ଆଉ ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେନେଇ କିଛି ବି ସ୍ପଷ୍ଟ ହେଇନି । ଚର୍ଚ୍ଚା ହେଉଛି ଏହି ଗସ୍ତରେ ନବୀନ ବିଜେପିର କିଛି ବଡ଼ ନେତାଙ୍କୁ ଭେଟି ଆଲୋଚନା କରିପାରନ୍ତି । ଏହାସହ ସେ ପିଏମ୍ ମୋଦିଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି କୁହାଯାଉଛି। ତେଣୁ କେଉଁଠି ନା କେଉଁଠି ନବୀନଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।
ସେପଟେ ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀରୁ ସୁସ୍ଥ ପରେ ଗତକାଲି ପ୍ରଥମ ବୈଠକ କରିଛନ୍ତି ନବୀନ। ନବୀନ ନିବାସରେ ବସିଥିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ନବୀନ ଦଳକୁ ପରିଚାଳନା କରିବା, ଦଳର ରଣନୀତିକୁ ଦିଗ ଦେବା ଓ ନୀତି ନିର୍ଦ୍ଧାରଣ କରିବା ନେଇ ଏହି ବୈଠକରୁ ବଡ଼ ବାର୍ତ୍ତା ଦେଇଛନ୍ତି । ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି କିପରି ସୁଦୃଢ କରାଯିବ ଏବଂ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପିଏସି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଏହା ସହ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ଉଠିବାକୁ ଥିବା ପ୍ରସଙ୍ଗ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ରାଜ୍ୟରେ ଦଳିତ, ଆଦିବାସୀ, ମହିଳାଙ୍କ ବିରୋଧରେ ଅତ୍ୟାଚାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଭ୍ରାଟକୁ ନେଇ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଅନ୍ୟପଟେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଚର୍ଚ୍ଚା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ମିଟିଂ ହେଇପାରେ । ତେଣୁ ଯେହେତୁ ବିଜେଡି ଆଉ ବିଜେପି ଭଳି ଦୁଇ ଦଳର ରାଜ୍ୟ ସଭାପତି ଏବେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି, ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ।
ସାଧାରଣ ନିର୍ବାଚନ ପରଠାରୁ ବିଜେଡି-ବିଜେପି ସମ୍ପର୍କରେ ତିକ୍ତତା ଆସିଛି । ପୂର୍ବରୁ ଅଧିକାଂଶ ପ୍ରସଙ୍ଗରେ ନବୀନ, ବିଜେପିକୁ ସମର୍ଥନ କରିଆସୁଥିଲେ । ହେଲେ ନିର୍ବାଚନ ପରେ କିନ୍ତୁ, ସେମିତି ଖୋଲା ସମର୍ଥନ ଦେଖିବାକୁ ମିଳିନି । ଅନେକ ପ୍ରସଙ୍ଗରେ ବିଜେଡି ସାଂସଦମାନେ ଭାଗ ଭାଗ ହେଇ ସମର୍ଥନ ଦେଇଛନ୍ତି ନଚେତ୍ ବିରୋଧ କରିଛନ୍ତି । ତେଣୁ ଆଗକୁ ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନ ଅଛି, ତେଣୁ ବିଜେଡି ଉପରେ ଏବେ ସମସ୍ତଙ୍କର ନଜର ।
Comments are closed.