Latest Odisha News

Trump-Netanyahu: ଆମେରିକାକୁ ପ୍ରଶଂସା, ନେତାନ୍ୟାହୁଙ୍କୁ ନିନ୍ଦା?

ନୂଆଦିଲ୍ଲୀ: ଇସ୍ରାଏଲ ମଙ୍ଗଳବାର କତାର ରାଜଧାନୀ ଦୋହା ଉପରେ ବଡ ବିମାନ ଆକ୍ରମଣ କରିଛି। ଦୋହାରେ ଇସ୍ରାଏଲର ଆକ୍ରମଣ ପାଇଁ ନେତାନ୍ୟାହୁଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୋହାରେ ସାମରିକ ଆକ୍ରମଣକୁ ଯଥାର୍ଥ କହିଛନ୍ତି। ନେତାନ୍ୟାହୁ ଏହାକୁ ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାର କାର୍ଯ୍ୟାନୁଷ୍ଠାନ ସହିତ ତୁଳନା କରିଛନ୍ତି। ଯଦି ସେତେବେଳେ ଆମେରିକା କରିଥିବା କାର୍ଯ୍ୟକୁ ବିଶ୍ବ ସମର୍ଥନ କରିଥିଲା, ତେବେ ଆଜି ସମାନ ଘଟଣା ପାଇଁ ଇସ୍ରାଏଲ କାହିଁକି ନିନ୍ଦା ସହୁଛି ବୋଲି ପ୍ରଶ୍ନ କରିଛନ୍ତି ନେତାନ୍ୟାହୁ ।

କ’ଣ କହିଲେ ନେତାନ୍ୟାହୁ?

ହମାସ ନେତାମାନଙ୍କୁ ନିପାତ ପାଇଁ କତାର ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଯାହାକୁ ନେଇ ଏବେ ବିଶ୍ବ ନେତାମାନେ ଇସ୍ରାଏଲର ପଦକ୍ଷେପକୁ କଡା ନିନ୍ଦା କରିଥିବା ବେଳେ ଏହାର ଜବାବରେ ଆମେରିକାର ୨୦୦୧ ଆତଙ୍କବାଦୀ ଆକ୍ରମଣର ଉଦାହରଣ ଦେଇଛନ୍ତି ନେତାନ୍ୟାହୁ । ସେପ୍ଟେମ୍ବର ୧୧ ​​ଆତଙ୍କବାଦୀ ଆକ୍ରମଣର ଜବାରେ ଆମେରିକା ଆଫଗାନିସ୍ତାନ ଏବଂ ପାକିସ୍ତାନରେ ପଶି ଆତଙ୍କବାଦୀମାନଙ୍କୁ ଖୋଜି ମାରିଛି। ଇସ୍ରାଏଲ ମଧ୍ୟ ଆମେରିକା ପରି କତାର ଉପରେ ଆକ୍ରମଣ କରିଛି । ଇସ୍ରାଏଲ ଅକ୍ଟୋବର ୭ର ନରସଂହାରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନେତାନ୍ୟାହୁ ଏହି ଆକ୍ରମଣକୁ ଓସାମା ବିନ୍ ଲାଡେନଙ୍କ ବିରୁଦ୍ଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ସହିତ ତୁଳନା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ସେପ୍ଟେମ୍ବର ୧୧, ୨୦୦୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଯାହା କରିଥିଲା, ଆମେ ମଧ୍ୟ ସେହିପରି କରିଛୁ। ଆମେ ଆମେରିକା ପରି ଆତଙ୍କବାଦୀମାନଙ୍କୁ ନିପାତ କରିଛୁ ବୋଲି କହି ଆକ୍ରମଣକୁ ଯଥାର୍ଥ କରିଛନ୍ତି ନେତାନ୍ୟାହୁ ।

ଆମେରିକାର ୯/୧୧ ଆକ୍ରମଣ କ’ଣ?

୧୧ ସେପ୍ଟେମ୍ବର ଆତଙ୍କବାଦୀ ଆକ୍ରମଣକୁ ଆଜି ୨୪ ବର୍ଷ ବିତିଗଲା । ଯାହା ବିଶ୍ବ ଇତିହାସରେ ଆତଙ୍କୀଙ୍କ ସବୁଠାରୁ ବଡ ଆକ୍ରମଣ । ୧୧ ସେପ୍ଟେମ୍ବର ୨୦୦୧ ସକାଳେ, ଅଲକାଏଦାର ୧୯ ଜଣ ଆତଙ୍କବାଦୀ ଆମେରିକାରେ ୪ଟି ଯାତ୍ରୀବାହୀ ବିମାନ ଅପହରଣ କରିଥିଲେ। ତା’ପରେ ଆତଙ୍କବାଦୀମାନେ ନ୍ୟୁୟର୍କରେ ଥିବା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଟ୍ୱିନ୍ ଟାୱାରରେ ୨ଟି ବିମାନ, ୱାଶିଂଟନ୍ ଡିସିରେ ଥିବା ପେଣ୍ଟାଗନରେ ଗୋଟିଏ ବିମାନ ଏବଂ ପେନସିଲଭାନିଆରେ ଗୋଟିଏ ବିମାନକୁ ଦୁର୍ଘଟଣା ଗ୍ରସ୍ତ କରାଇଥିଲେ । ଯେଉଁଥିରେ ୨୯୭୭ ଜଣ ଲୋକ ଜିଅନ୍ତା ଜଳିଯାଇଥିଲେ । ଏହାର ଜବାବରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ବିଶ୍ୱକୁ ସମ୍ବୋଧିତ କରି ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ଏବଂ ବାର୍ତ୍ତା ଦେଇଥିଲେ ଯେ ଆତଙ୍କବାଦର ବିନାଶ ଏବେ ସବୁଠାରୁ ବଡ଼ ଯୁଦ୍ଧ। ଏହାପରେ ଆମେରିକା ଅଲ-କାଏଦା ଏବଂ ତାଲିବାନ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଥିଲା । ଯେଉଁଥିରେ ଅକ୍ଟୋବର ୨୦୦୧ରେ ଆଫଗାନିସ୍ତାନରେ, ୨୦୦୩ରେ ଇରାକରେ ଆକ୍ରମଣ କରିଥିଲା ଆମେରିକା ସେନା । ଆଉ ପରେ ଅଲକାଏଦାର ନେତୃତ୍ୱ ନେଉଥିବା ଓସାମା ବିନ୍ ଲାଡେନ, ଯିଏ ପାକିସ୍ତାନରେ ପ୍ରବେଶ କରିଥିଲା, ୨୦୧୧ରେ ଆବୋଟାବାଦର ଏକ ଘର ଭଳି ସୁଡ଼ଙ୍ଗରେ ତାଙ୍କ ପରିବାର ସହିତ ଆମେରିକୀୟ ନୌସେନା ସିଲ୍ସ ଦ୍ୱାରା ହତ୍ୟା କରାଯାଇଥିଲା । ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦଙ୍କୁ ୨୦୦୩ରେ ଗିରଫ କରାଯାଇଥିଲା ଏବଂ ଗୁଆଣ୍ଟାନାମୋ ବେରେ ବନ୍ଦୀ କରାଯାଇଥିଲା। ଯଦି ସେତେବେଳେ ଆମେରିକା ତାର ଏହି କାର୍ଯ୍ୟ ଯେଉଁଦେଶ ପ୍ରଶଂସା କରିଥିଲେ, ତେବେ ସେହିଦେଶ ଏବେ ଇସ୍ରାଏଲକୁ ନିନ୍ଦା କିପରି କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ନେତାନ୍ୟାହୁ ।

କ’ଣ ହମାସ ନେତାମାନଙ୍କୁ ଆଶ୍ରୟ ଦେଉଛି କତାର?

ଉପସାଗରୀୟ ରାଷ୍ଟ୍ର କତାର ଦୀର୍ଘ ସମୟ ଧରି ମଧ୍ୟପ୍ରାଚ୍ୟ ଏବଂ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟସ୍ଥତା କରିଆସୁଛି। କତାରର ରାଜଧାନୀ ଦୋହାରେ ପାଲେଷ୍ଟାଇନୀ ଗୋଷ୍ଠୀ ହମାସର ଅନେକ ନେତାଙ୍କ ଉପସ୍ଥିତି ଜାହିର କରିଛି । ଯାହା ସ୍ପଷ୍ଟ କରୁଛି ଯେ ଗାଜା ଉପରେ ଇସ୍ରାଏଲର ଯୁଦ୍ଧ ସମାପ୍ତ କରିବା ଏବଂ ଏନକ୍ଲେଭରେ ଇସ୍ରାଏଲୀ ବନ୍ଦୀଙ୍କ ମୁକ୍ତିକୁ ସୁରକ୍ଷିତ କରିବା ପାଇଁ ଏହି ସହର ଆଲୋଚନାର ଏକ ଆଧାର ପାଲଟିଛି । ହେଲେ ଇସ୍ରାଏଲ ଅଭିଯୋଗ କରିଛି ଯେ, ହମାସ ଦୋହାରୁ କାର୍ଯ୍ୟ ପରିଚାଳନା କରେ। କତାର ହମାସ ନେତାମାନଙ୍କୁ ଆଶ୍ରୟ ଦିଏ ଏବଂ ବିପୁଳ ପାଣ୍ଠି ଯୋଗାଏ । ସେଠାରେ, ହମାସ ଲୋକଙ୍କୁ ବିଳାସପୂର୍ଣ୍ଣ ବଙ୍ଗଳା ଦିଆଯାଏ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯାଏ। ଆଉ ଏବେ ନେତାନ୍ୟାହୁ ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଚାହାଁନ୍ତି । ତେଣୁ ହମାସ ନେତାମାନଙ୍କ ଯୋଗୁଁ ଇସ୍ରାଏଲ ଦୋହା ଉପରେ ଆକ୍ରମଣ କରିଛି । ଏନେଇ ନେତାନ୍ୟାହୁ କତାରକୁ ବି ଚେତାବନୀ ଦେଇଛନ୍ତି । ଯଦି କତାର ହମାସ ନେତାମାନଙ୍କୁ ବଞ୍ଚାଇବାକୁ ଚାହେଁ, ତେବେ ସେମାନଙ୍କୁ ଆଶ୍ରୟ ଦେବା ବନ୍ଦ କରନ୍ତୁ, ନଚେତ୍ ସେମାନଙ୍କର ଅନ୍ତ ନିଶ୍ଚିତ ବୋଲି କହିଛନ୍ତି ନେତାନ୍ୟାହୁ ।

Comments are closed.