Latest Odisha News

IND vs PAK-‘No Handshake’: ‘ପାକିସ୍ତାନ ଖେଳାଳୀଙ୍କ ସହ ହ୍ୟାଣ୍ଡସେକ୍ ନାହିଁ’, ବିବାଦ ଉପରେ ମୁହଁ ଖୋଲିଲା ବିସିସିଆଇ, କହିଲା, ‘କୌଣସି ଆଇନ ନାହିଁ…’

ନୂଆଦିଲ୍ଲୀ: ଭାରତ ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ପରାସ୍ତ କରି ମ୍ୟାଚ୍ ଶେଷରେ ପାକିସ୍ତାନୀ ଖେଳାଳୀଙ୍କ ସହ ହାତ ନ ମିଳାଇ ଚାଲିଯାଇଥିଲେ । ଏବେ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମ୍ୟାଚ୍ ରେଫରିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି ।

ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ଏକ ଦମଦାର ପରାଜୟ ଦେଇଥିଲା। ମ୍ୟାଚ୍ ପରେ, ଭାରତୀୟ ଦଳ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇ ନଥିଲା ଏବଂ ଡ୍ରେସିଂ ରୁମକୁ ଫେରିଯାଇଥିଲା। ପରେ ପିସିବି ଏହାର ପ୍ରତିବାଦ କରି ମ୍ୟାଚ୍ ରେଫରିଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲା। ଯାହା ଏବେ ଆଲୋଚନାର ବିଷୟ ପାଲଟିଛି। ଏବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରସଙ୍ଗରେ ତାଙ୍କର ନୀରବତା ଭାଙ୍ଗି କହିଛନ୍ତି ଯେ ଭାରତୀୟ ଖେଳାଳିମାନେ ଯାହା କରିଛନ୍ତି ତାହା କୌଣସି ପ୍ରକାରେ ଭୁଲ ନୁହେଁ।

ପିଟିଆଇ ସହିତ କଥାବାର୍ତ୍ତା କରି ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଛନ୍ତି ଯେ ହାତ ମିଳାଇବା ସମ୍ପର୍କରେ କୌଣସି ନିୟମ ନାହିଁ। ସେ କହିଛନ୍ତି, ‘ଯଦି ଆପଣ ନିୟମ ପୁସ୍ତକ ପଢ଼ନ୍ତି, ତେବେ ପ୍ରତିପକ୍ଷଙ୍କ ସହିତ ହାତ ମିଳାଇବା ବିଷୟରେ କୌଣସି ସ୍ଥାନରେ ଲେଖାଯାଇ ନାହିଁ। ଏହା କେବଳ ଏକ ଭଲ ଇଙ୍ଗିତ। ଏପରି କୌଣସି ଆଇନ ନାହିଁ କିନ୍ତୁ ସାରା ବିଶ୍ୱରେ ଏହା ପାଳନ କରାଯାଏ। ଯଦି କୌଣସି ଆଇନ ନାହିଁ, ତେବେ ଭାରତୀୟ ଦଳକୁ ସେହି ପ୍ରତିପକ୍ଷଙ୍କ ସହିତ ହାତ ମିଳାଇବାର କୌଣସି ଆବଶ୍ୟକତା ନାହିଁ ଯେଉଁମାନଙ୍କ ସହିତ ଆମର ସମ୍ପର୍କ ତିକ୍ତ ହୋଇଛି।’

ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ହାତ ମିଳାଇବାକୁ ସଲମାନ ଅଲି ଆଗାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ୍ ନକଭି ସୋସିଆଲ ମିଡିଆରେ ଆସି କହିଛନ୍ତି ଯେ ମ୍ୟାଚ୍ ରେଫରିଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ସେ ଆଇସିସିକୁ କହିଛନ୍ତି ଯେ ମ୍ୟାଚ୍ ରେଫରି ନିୟମ ଉଲ୍ଲଂଘନ କରିଛନ୍ତି ଏବଂ MCCର ଆଇନ ଭାଙ୍ଗିଛନ୍ତି। ସେଥିପାଇଁ ସେ ଏସିଆ କପ୍ ରୁ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବାକୁ ଚାହୁଁଛନ୍ତି। ଏହି ମାମଲା ଏବେ ବଡ଼ ହେବାରେ ଲାଗିଛି।

ହ୍ୟାଣ୍ଡସେକ୍ ନକରିବା ବିବାଦ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ କଠୋର ନିଷ୍ପତ୍ତି ନେଇଛି ଏବଂ ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ୍ ନିର୍ଦ୍ଦେଶକ ଉସମାନ ୱାହାଲାଙ୍କୁ ହଟାଇ ଦେଇଛି। ହାତ ନମିଲାଇବା ବିବାଦ ସମ୍ପର୍କରେ ମ୍ୟାଚ୍ ରେଫରିଙ୍କ ବିରୋଧରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପିସିସି ଏହା କରିଛି। ଯାହାକୁ ନେଇ ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଶୀର୍ଷ ଅଧିକାରୀମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି।

ତେବେ କହିରଖୁଛୁ, ୧୪ ସେପ୍ଟମ୍ବରରେ ଦୁବାଇରେ ଖେଳାଯାଇଥିବା ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ଦୁଇ ପାରମ୍ପରିକ ଦଳ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ବିଜୟ ହାସଲ କରିଥିବା ବେଳେ ପାକିସ୍ତାନକୁ ତାର ସ୍ଥାନ ଦେଖାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ପୂର୍ବରୁ ଏହି ମ୍ୟାଚକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ପୂରା ଭାରତ । ବାସ୍ତବରେ ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ଭିତରେ ବଢିଥିବା ଉତ୍ତେଜନା ଏହାର ପ୍ରମୁଖ କାରଣ ଥିଲା, ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀ ଲସ୍କର-ଏ-ତୈବାର ଆକ୍ରମଣରେ ୨୬ ଭାରତୀୟଙ୍କ ପ୍ରାଣ ଯାଇଛି । ଭାରତୀୟ ଚାହୁଁନଥିଲେ, ଯେଉଁମାନେ ଭାରତର ଝିଅବୋହୂଙ୍କ ସିନ୍ଦୂର ପୋଛିଛନ୍ତି, ସେଭଳି ରାଷ୍ଟ୍ରର ଖେଳାଳୀଙ୍କ ସହ ଟିମ୍ ଇଣ୍ଡିଆ ଖେଳୁ, ତଥାପି ଭାରତରେ ଏହି ବୟକଟ ପରେ ମଧ୍ୟ ବିଦେଶ ମାଟିରେ ମ୍ୟାଚ୍ ଖେଳାଯାଇଥିଲା ।

Comments are closed.