Latest Odisha News

BREAKING NEWS

୨୫ରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା; ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ପୁଣି ଆଉ ୩ଟି ଲଘୁଚାପ ଆସୁଥିବାବେଳେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି ।

ସେହିପରି, ଦ୍ଵିତୀୟ ଲଘୁଚାପ ୨୫ ସେପ୍ଟେମ୍ବର ବେଳକୁ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୨୫ ତାରିଖରୁ ବର୍ଷା ବଢ଼ିବା ସହ ୨୮ ତାରିଖ ଯାଏଁ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକ ହେଉଛି-: ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ସେପ୍ଟେମ୍ବର ୨୩ ତାରିଖ ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଭଳି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାରେ ସମ୍ଭାବନା ରହିଛି ।

୨୫ ଓ ୨୬ ତାରିଖରୁ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏହି ୨ ଦିନ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଜିଲ୍ଲାଗୁଡ଼ିକରେ ବର୍ଷା ଅଧିକ ହେବ । ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଗତପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୫ରୁ ୨୭ ସେପ୍ଟେମ୍ବର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ପ୍ରଦେଶ-ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ସୁଦ୍ଧା ଉପକୂଳକୁ ଫେରିବାକୁ ସତର୍କ କରାଯାଇଛି ।

Comments are closed.