ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଲଢେଇ ହୋଇଥିଲା। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନୀ ପେସର ହାରିସ୍ ରାଉଫ ଭାରତୀୟ ପ୍ରଶଂସକଙ୍କୁ ୬-୦ ଇଶାରା କରି ବିବାଦରେ ଫସିଛନ୍ତି। ବାଉଣ୍ଡ୍ରି ପାଖରେ ଫିଲଡିଂ କରୁଥିବା ସମୟରେ ରାଉଫଙ୍କ ଏହି ଇଶାରାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
୬-୦ ଇଶାରାଟି ପାକିସ୍ତାନର ଏକ ଅମୂଳକ ଦାବିକୁ ସୂଚାଏ, ଯେଉଁଥିରେ ସେମାନେ ଅପରେସନ ସିନ୍ଦୁର ପରେ ଚାରି ଦିନିଆ ସଂଘର୍ଷରେ ଭାରତର ଛଅଟି ଯୁଦ୍ଧ ବିମାନ ଖସାଇଥିବା କହିଥିଲେ।
ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ୧୭୧ ରନର ଲକ୍ଷ୍ୟ ଦେଇଥିଲା, କିନ୍ତୁ ଭାରତ ୬ ଓ୍ଵିକେଟରେ ଏହାକୁ ହାସଲ କରି ବିଜୟୀ ହେଲା। ରାଉଫ ୪ ଓଭର ବୋଲିଂ କରି ୨୬ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ। ସେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ତିନି ବଲରେ ଶୂନରେ ଆଉଟ କରିଥିଲେ। ଏହାପରେ ସଞ୍ଜୁ ସାମସନଙ୍କୁ ୧୭ ବଲରେ ୧୩ ରନ କରିଥିବା ବେଳେ ଆଉଟ କରିଥିଲେ।
ଭାରତୀୟ ପ୍ରଶଂସକମାନେ ରାଉଫଙ୍କୁ ବିରାଟ କୋହଲିଙ୍କ ନାଁ ନେଇ ଚି଼ଡାଇଥିଲେ। କୋହଲି ଏହି ମ୍ୟାଚରେ ନ ଖେଳିଥିଲେ ବି ପ୍ରଶଂସକମାନେ ତାଙ୍କ ନାଁ ଜୋର୍ରେ ଚିତ୍କାର କରିଥିଲେ। ୨୦୨୨ ଟି-୨୦ ବିଶ୍ୱକପରେ ମେଲବର୍ଣ୍ଣରେ କୋହଲି ରାଉଫଙ୍କ ବୋଲିଂରେ ଲଗାତାର ଦୁଇଟି ଛକା ମାରିଥିଲେ, ଯାହାକୁ ମନେ ପକାଇ ପ୍ରଶଂସକମାନେ ରାଉଫଙ୍କୁ ଟାର୍ଗେଟ କରିଥିଲେ। ରାଉଫ ଏହାର ଜବାବରେ ପ୍ରଶଂସକଙ୍କୁ ଆହୁରି ଜୋରରେ ଚିତ୍କାର କରିବାକୁ ଇଶାରା କରିଥିଲେ।
Comments are closed.