Latest Odisha News

U.S. Vs Venezuela: ଭେନେଜୁଏଲା ସାଧାରଣ ନାଗରିକଙ୍କୁ ଦେଉଛି ସାମରିକ ତାଲିମ;ଏହାର ପଛରେ ଆମେରିକା…

ନୂଆଦିଲ୍ଲୀ: ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଦେଶର ନାଗରିକମାନଙ୍କୁ ଅସ୍ତ୍ର ତାଲିମ ପ୍ରଦାନ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି ନିକୋଲାସ ମାଦୁରୋ ଶନିବାର ନାଗରିକମାନଙ୍କ ପାଇଁ ଏକ ସାମରିକ ତାଲିମ ଶିବିର ଆୟୋଜନ କରିଥିଲେ ଏବଂ ସେମାନଙ୍କୁ ଦେଶକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ।

ରାଜଧାନୀ କାରାକାସର ପେଟାରେ ଅଞ୍ଚଳର ଏକ ମୁଖ୍ୟ ରାସ୍ତାକୁ ବନ୍ଦ କରି ହଜାର ହଜାର ସାଧାରଣ ଲୋକଙ୍କୁ ଅସ୍ତ୍ର ତାଲିମ ଦିଆଯାଇଥିଲା। ସୈନିକମାନେ ଛୋଟ ଛୋଟ ଗୋଷ୍ଠୀରେ ନାଗରିକମାନଙ୍କୁ ଅସ୍ତ୍ରଶସ୍ତ୍ର ପରିଚାଳନା, ମାସ୍କ ପିନ୍ଧିବା ଏବଂ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ଦେଇଥିଲେ।

ସାନ କ୍ରିଷ୍ଟୋବାଲ୍ ଏବଂ ବାରିନାସ୍ ସମେତ ଅନ୍ୟ ସହରରେ ସମାନ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଭିଡ଼ ଆଶାଠାରୁ କମ୍ ଥିଲା।

ସୂଚନାଥାଉକି, କାରିବିଆନ ସାଗରରେ ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଭେନେଜୁଏଲା ଆମେରିକାର ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନ ମୁତୟନକୁ “ଅଘୋଷିତ ଯୁଦ୍ଧ” ବୋଲି କହିଛି।

ପ୍ରାୟ ଗୋଟିଏ ମାସ ପୂର୍ବେ, ଆମେରିକା ଭେନେଜୁଏଲା ଉପକୂଳର ଅନ୍ତର୍ଜାତୀୟ ଜଳସୀମାରେ ଆଠଟି ଯୁଦ୍ଧଜାହାଜ ଏବଂ ଏକ ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିଲା ​​ଏବଂ ଦୁଇ ହଜାର ମାରିନ୍ ଏବଂ F-35 ଲଢ଼ୁଆ ବିମାନ ପୁଏର୍ଟୋ ରିକୋକୁ ପଠାଇଥିଲା । ଆମେରିକା ଦାବି କରୁଛି ଯେ ଏହା ଏକ “ଡ୍ରଗ୍ସ ବିରୋଧୀ ଅଭିଯାନ”।

ଏପଟେ ଭେନେଜୁଏଲା ଅଭିଯୋଗ କରିଛି ଯେ ଆମେରିକା ତାଙ୍କର ତେଲ, ସୁନା ଏବଂ ହୀରାକୁ ଦଖଲ କରିବାକୁ ଚାହୁଁଛି। “ଆଜି ଆମେ ଏକ ପ୍ରକୃତ ସାମରିକ ବିପ୍ଳବ ଲେଖିବୁ। ଜନତା ଏବଂ ସେନା ମିଳିତ ଭାବରେ ଦେଶକୁ ରକ୍ଷା କରିବେ,” ପ୍ରତିରକ୍ଷା ମନ୍ତ୍ରୀ ଭ୍ଲାଦିମିର ପାଡ୍ରିନୋ ଲୋପେଜ୍ କହିଛନ୍ତି।

Comments are closed.