Weather Update: ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ: ଭିଜିବ ଦଶହରା, ଆଜି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଭିଜିବ ପାର୍ବଣ। ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ। ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ଦଶହରାରେ ଅଧିକ ବର୍ଷା ହୋଇପାରେ। ମିଆଁମାରରେ ସୃଷ୍ଟି ଲଘୁଚାପ ୩୦ ତାରିଖ ବେଳକୁ ଓଡ଼ିଶା ଉପକୂଳ ବଙ୍ଗୋପସାଗରକୁ ଆସିପାରେ। ୨ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ପାଖରେ ରହିବ ବୋଲି ଜିଏଫଏସ୍ ମଡେଲ ଆକଳନ କରିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ସେହିପରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୬ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ୨୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ। ଲଘୁଚାପ ପ୍ରଭାବରେ ୭ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ୧୨ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
Comments are closed.