Latest Odisha News

Manmohan Samal On GST: ପୂଜା ଭେଟି ନୁହେଁ ଆତ୍ମବିଶ୍ୱାସର ଦିନ, ନୂଆ ଜିଏସ୍‌ଟି ଦ୍ୱାରା ସଞ୍ଚୟ ହାର ବଢ଼ିବ: ମନମୋହନ ସାମଲ

ଭୁବନେଶ୍ୱର: ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ ଦେଶବାସୀ। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହୋଇଛି। ଏହି ନୂଆ ଜିଏସ୍‌ଟିକୁ ନେଇ ମନମୋହନ ସାମଲ କରିଛନ୍ତି ପ୍ରେସମିଟ୍‌।

ମନମୋହନ ସାମଲ କହିଛନ୍ତି, ନୂଆ ଜିଏସ୍‌ଟି ଦ୍ବାରା ସଞ୍ଚୟ ହାର ବଢ଼ିବ। ଏହା ଏକ ଐତିହାସିକ ପଦକ୍ଷେପ, ସମସ୍ତେ ଉପକୃତ ହେବେ। ଯୁବକ, ଗରିବ, ମହିଳା ଓ ଚାଷୀ ଏହାଦ୍ବାରା ଉପକୃତ ହେବେ। ସେହିପରି ଦେଶର ଉତ୍ପାଦନ ବଢ଼ିବ, ଆମଦାନୀ କମିବ। ଓଡ଼ିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। କୋଇଲାରେ ଆମ ରାଜ୍ୟର ଆୟ ବଢ଼ିବ। ଏହା ଏକ ବୈପ୍ଳବିକ ପଦକ୍ଷେପ ବୋଲି କହିଛନ୍ତି ମନମୋହନ ସାମଲ।

ଆଜିଠାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇଛି। ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ନମକିନ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଲହୁଣି, ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ଓ ବିଭିନ୍ନ କୃଷି ଯନ୍ତ୍ରପାତି ବି ଶସ୍ତା ହୋଇଛି। ଏସବୁ ଆଜିଠୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ହୋଇଛି। ସେହିଭଳି ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି, ପିଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର ଆଜିଠୁ ଜିରୋ ଜିଏସଟି। ଅର୍ଥାତ ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ।

ତେବେ ନୂଆ ୪୦ ପ୍ରତିଶତ ଜିଏସଟି ସ୍ଲାବକୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍ , ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସ୍ ଇତ୍ୟାଦି।

Comments are closed.