Latest Odisha News

BREAKING NEWS

୩ ବର୍ଷରେ ୨୩,୧୩୦ ନବଜାତ ଶିଶୁଙ୍କ ମୃତ୍ୟୁ, ପ୍ରାଣ ହରାଇଛନ୍ତି ଏତିକି ପ୍ରସୂତୀ…

ଭୁବନେଶ୍ୱର: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୧୯ ଲକ୍ଷ ୩୪ ହଜାର ୪୧୨ ଜଣ ମହିଳା ଗର୍ଭବତୀ ହୋଇଥିବାବେଳେ, ଏଥିରୁ ୨ ହଜାରରୁ ଅଧିକ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୭ ଲକ୍ଷ ୬୦ ହଜାର ୫୭୭ ମହିଳା ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରସବ କରିଥିବା ବେଳେ, ବାକି ୧୪ ହଜାର ୪୨୪ ଜଣ ଘରେ ପ୍ରସବ କରିଛନ୍ତି । ସୋମବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିଧାୟକ କାଡ୍ରାକା ଆପାଲା ସ୍ୱାମୀ ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ଗର୍ଭଧାରଣ କରିଥିବା ମହିଳା, ସେମାନଙ୍କର ସୁରକ୍ଷିତ ପ୍ରସବ ଏବଂ ମାତୃ ତଥା ଶିଶୁ ମୃତ୍ୟୁହାର ସମ୍ପର୍କରେ ତଥ୍ୟ ମାଗିଥିଲେ । ତାଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି ।

ପ୍ରସବ ବ୍ୟତୀତ, ରାଜ୍ୟରେ ୩ ବର୍ଷରେ ୨୩ ହଜାର ୧୩୦ ନବଜାତ ଶିଶୁଙ୍କ ମୃତ୍ୟୁ ଏବଂ ୩୪ ହଜାର୨୮୪ ମୃତ ଶିଶୁଙ୍କ ଜନ୍ମ ରିପୋର୍ଟ କରାଯାଇଛି ।

ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୮୬୦ଟି ୧୦୮ ଆମ୍ବୁଲାନ୍ସ ରହିଛି । ସେଥିମଧ୍ୟରେ ୪୧୧ଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ(ଏଏଲଏସ) ରହିଛି। ଏବଂ ୪୪୯ଟି ମୌଳିକ ଜୀବନ ରକ୍ଷାକାରୀ(ବିଏଲଏସ) ଆମ୍ବୁଲାନ୍ସ ରହିଛି । ୪୨୧ ଟି ଆମ୍ବୁଲାନ୍ସକୁ ବଦଳାଯିବା ପ୍ରସ୍ତାବ ଅନୁମ‌ୋଦନ ପରେ କିଣାଯିବା ପାଇଁ ଅର୍ଡର ଦିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

Comments are closed.