Latest Odisha News

BREAKING NEWS

ଦୈନିକ ଉର୍ଦ୍ଦୁ ଖବରକାଗଜ ‘ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଭୁବନେଶ୍ୱର: ଏକ ସଶକ୍ତ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଗଣମାଧ୍ୟମ ହେଉଛି ସାଧାରଣ ଲୋକଙ୍କ ସ୍ୱର । ସେମାନଙ୍କର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । ସମାଜରେ ଘଟୁଥିବା ଅନେକ ସକାରତ୍ମକ ଘଟଣା ଲୋକଲୋଚନକୁ ଆସିବା ଦରକାର । ସବୁ ପ୍ରକାର ଖବର ପ୍ରକାଶ ପାଇଲେ ଖବରକାଗଜର ମହତ୍ୱ ରହିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ମଙ୍ଗଳବାର ଜୟଦେବ ଭବନ ଠାରେ ଦୈନିକ ଉର୍ଦ୍ଦୁ ଖବରକାଗଜ ‘ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବକୁ ଉଦ୍‍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ ଯେ ସୃଷ୍ଟି ଏକ ଏବଂ ଏହାର ସ୍ରଷ୍ଟା ମଧ୍ୟ ଏକ ।

ଆମ ଦେଶରେ ବହୁ ଧର୍ମର ସମାହାର ଦେଖିବାକୁ ମିଳେ, ଆଉ ସବୁ ଧର୍ମ କେବଳ ସମସ୍ତଙ୍କୁ ଭଲ ପାଇବା ହିଁ ଶିକ୍ଷା ଦେଇଥାଏ । ଯେପରି ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲ ଅତି ସୁନ୍ଦର ମହକ ଦେଇଥାଏ, ସେହିପରି ବିଭିନ୍ନ ଧର୍ମର ସମାହାର ଆମକୁ ମାନବିକତା ଓ ପରସ୍ପରକୁ ଭଲ ପାଇବାର ମହକ ଦେଇଥାଏ । ସମସ୍ତେ ଏକାଠି କାର୍ଯ୍ୟକଲେ ଆମ ଦେଶ ସଶକ୍ତ ହେବ । କୋରାନରେ ଥିବା ସଙ୍ଗୀତ ଓ ବାଇବେଲ୍‍ରେ ପ୍ରୟୋଗ ଉର୍ଦ୍ଦୁ ଭାଷା ଅନନ୍ୟ ସାହିତ୍ୟ ସୃଷ୍ଟି କରିଥାଏ ବୋଲି ରାଜ୍ୟପାଳ କହିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଖୁବ୍‍ କମ ଦିନ ମଧ୍ୟରେ ଅଖବାରନାମା ଭଳି ଏକ ଉର୍ଦ୍ଦୁ ଖବରକାଗଜ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି । ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବାରେ ଏହା ଗୁରୁଦାୟିତ୍ୱ ନିର୍ବାହ କରିଛି । ରାଜ୍ୟର ଏକମାତ୍ର ଦୈନିକ ଉର୍ଦ୍ଦୁ ସମ୍ବାଦପତ୍ର ଭାବେ ଏହା ନୂଆ ଉଦାହରଣ ସୃଷ୍ଟି କରିପାରିଛି ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ଼ ମକବୁଲ ଇସଲାମ କହିଥିଲେ ଯେ ଉର୍ଦ୍ଦୁ ହେଉଛି ଦେଶର ୧୧ତମ ଭାଷା । ଇସଲାମର ସୁଫି ଦର୍ଶନ ଓ ବେଦ ବେଦାନ୍ତ ମଧ୍ୟରେ ନିବିଡ଼ ସମନ୍ୱୟ ରହିଛି । ବରିଷ୍ଠ ସାମ୍ବାଦିକ ଦିଲ୍ଲିପ୍‍ ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଆଖବାରନାମାର ସମ୍ପାଦକ ସେଖ୍‍ ସିରାଜ ମହମ୍ମଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା ସମ୍ପାଦକ ସେଖ୍‍ ରିଆଜ ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନାବ ଅଲହଜ ମହମ୍ମଦ ଅବଦୁଲ ବାରି, ଡ଼ ଅବଦୁଲ ୱସିଦ ଖାନ, ମୌଲାନା ସୟଦ ନକିବୁଲ ଅମିନ ବାରିକି କ୍ୱାସମୀ, ମହମ୍ମଦ ଫକରୁଦିନ୍‍, ସଲମା ଆଜମି ବାନୁ, ସଞ୍ଜିଦ ରେହମାନୀ ପ୍ରମୁଖଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.