ବ୍ୟାଙ୍କକ: ବ୍ୟାଙ୍କକରେ ହଠାତ୍ ଏପରି କିଛି ଘଟିଥିଲା ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଥାଇଲ୍ୟାଣ୍ଡର ଭାଜିରା ହସ୍ପିଟାଲ ନିକଟରେ ଥିବା ଏକ ରାସ୍ତାରେ ହଠାତ୍ ୫୦ମିଟର ଗଭୀର ସିଙ୍କହୋଲରେ ସୃଷ୍ଟି ହୋଇଯାଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଭାବରେ ଭାଇରାଲ ହେବାରେ ଲାଗିଛି।
ବୁଧବାର ସକାଳେ ରାସ୍ତା ମଝିରେ ଏହି ସିଙ୍କହୋଲ୍ ସୃଷ୍ଟି ହୋଇଯାଇଥିଲା। ଫଳରେ ସେଠାରେ ଥିବା ସମସ୍ତ ଯାନବାହାନ ଓ ବିଦ୍ୟୁତ୍ ଖୁଣ୍ଟ ତାହା ମଧ୍ୟକୁ ଟାଣି ହୋଇ ଯାଇଥିଲା। ଏହା ଦେଖି ସେଠାକାର ସ୍ଥାନୀୟ ବାସିନ୍ଦା ଏବଂ ହସ୍ପିଟାଲ କର୍ମଚାରୀମାନେ ସ୍ତବ୍ଧ ହୋଇଯାଇଥିଲେ। ବର୍ତ୍ତମାନ ବ୍ୟାଙ୍କକରେ ପ୍ରବଳ ବର୍ଷା ହେଉଥିବା ବେଳେ ଏକ ସୁପର ଟାଇଫୁନ୍ ମଧ୍ୟ ଆସିବାର ଆଶଙ୍କା ରହିଛି।
ତେବେ ଏହିି ଘଟଣା ପରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସାମସେନ୍ ରୋଡ୍ ଏବଂ ଭାଜିରା ହସ୍ପିଟାଲ ଚାରିପାଖର ରାସ୍ତାଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ପାଇପଲାଇନ୍ ଫାଟି ଯାଇଥିବାରୁ ସେହି ପାଣିର ପ୍ରବାହରେ ପଡ଼ିଥିବା ବିଦ୍ୟୁତ୍ ତାରରୁ ସ୍ପାର୍କିଂ ସୃଷ୍ଟି ହୋଇଥିଲା ଏବଂ କୌଣସି ପ୍ରକାର ଅଘଟଣକୁ ଦୂରେଇବାକୁ ଯାଇ ନିକଟବର୍ତ୍ତୀ ଫ୍ଲାଟ ଏବଂ ହସ୍ପିଟାଲରେ ଥିବା ରୋଗୀମାନଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାର ମରାମତି ପାଇଁ ସେଠାରେ ଇଞ୍ଜିନିୟରିଂ ଟିମ୍ କାମ କରୁଥିବା ନେଇ ଅଧିକାରୀ ମାନେ କହିଛନ୍ତି।
ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି ଓ କେବଳ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ୟାଙ୍କକ ରାଜ୍ୟପାଳ ଚାଡଚାର୍ଟ ସିଟିପୁଣ୍ଟ କହିଛନ୍ତି। ତେବେ ଏକ ଭୂତଳ ରେଳ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଏପରି ହୋଲ ସୃଷ୍ଟି ହୋଇଥିବା ନେଇ ଅଧିକାରୀମାନେ କହିଛନ୍ତି। ଏଥିସହିତ ହସ୍ପିଟାଲ ଦୁଇ ଦିନ ପାଇଁ ବାହ୍ୟ ରୋଗୀ ସେବା ବନ୍ଦ କରିଦେଇଛି। ଆଗକୁ ପ୍ରବଳ ବର୍ଷା ଯୋଗୁଁ ଆହୁରି କ୍ଷତି ହେବାର ସମ୍ଭାବନା ରହିଥିବାରୁ ଅଧିକାରୀମାନେ ଯଥାଶୀଘ୍ର ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
Comments are closed.