ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍ । ଫଳରେ ଶନିବାର ସନ୍ଧ୍ୟା ସୁଦ୍ଧା ୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବାବେଳେ ଶନିବାର କାଳେ ୪ଟି ଏବଂ ମଧ୍ୟାହ୍ନରେ ୬ଟି ଗେଟ୍ ବନ୍ଦ କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଅପରାହ୍ନରେ ଆଉ ୪ଟି ଗେଟ ବନ୍ଦ କରିଦିଆଯାଇଛି ।
ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ ଖୋଲା ଯାଇଥିଲା । ଯେଉଁ କାରଣରୁ ଶୁକ୍ରବାର ମୁଣ୍ଡଳୀରେ ୫ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ସେଥିମଧ୍ୟରୁ ୧୪ଟି ଗେଟ୍ ବନ୍ଦ କରିଦିଆଯାଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୮ ତାରିଖ ଯାଏ ବର୍ଷା ଲାଗି ରହିବ । ଏହି ଦିନ ଗୁଡିକରେ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡା ,ବଲାଙ୍ଗୀର , ନୟାଗଡ , ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ । ଏହାସହ ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ନେଇ ଆକଳନ କରିଛି ବିଭାଗ ।
Comments are closed.