Vijay Rally Stampede: ମୋର ହୃଦୟ ଭାଙ୍ଗି ଯାଇଛି…ରାଲିରେ ଦଳାଚକଟା ଉପରେ ଅଭିନେତା ବିଜୟଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା
ଚେନ୍ନାଇ: ଶନିବାର ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା ଘଟିଛି । ଏବେ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ୫୦ ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ରାଲି ସମୟରେ ହୋଇଥିବା ଦଳାଚକଟାକୁ ନେଇ ଅଭିନେତା ବିଜୟଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । “ମୋ ହୃଦୟ ଭାଙ୍ଗି ଯାଇଛି; ମୁଁ ଏକ ଅସହ୍ୟ, ଅବର୍ଣ୍ଣନୀୟ ଯନ୍ତ୍ରଣା ଏବଂ ଦୁଃଖରେ ଅଛି ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ,” ବିଜୟ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ।
ଖବରମୁତାବକ, ତାମିଝାଗା ଭେଟ୍ରି କାଝଗମ୍’ (TVK-Tamilaga Vettri Kazhagam) ନେତା ତଥା ଅଭିନେତା ବିଜୟ ଏହି ରାଲିର ଆୟୋଜନ କରିଥିଲେ। ବିଜୟଙ୍କ ଭାଷଣ ଶୁଣିବା ପାଇଁ ଏକ ବଡ଼ ଭିଡ଼ ଜମା ହୋଇଥିବା ବେଳେ ଏହି ଦଳାଚକଟା ଘଟିଥିଲା। ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି। ସମସ୍ତ ଆହତଙ୍କୁ କରୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ସେ ଆହୁରି କହିଛନ୍ତି, “କରୁରରେ ପ୍ରାଣ ହରାଇଥିବା ଆମର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଏବଂ ସହାନୁଭୂତି ପ୍ରକାଶ କରୁଛି। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।”
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟପାଳ ଆରଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଫୋନରେ ଆଲୋଚନା କରି ଅପଡେଟ୍ ନେଇଛନ୍ତି। ଏଥିସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ତାମିଲନାଡୁ ସରକାରଙ୍କ ଠାରୁ ଏକ ରିପୋର୍ଟ ମାଗିଛି।
ଏଥିସହ ବିଜୟଙ୍କ ରାଲିରେ ଦଳାଚକଟାରେ ପ୍ରାଣ ହରାଇଥିବା ୩୬ଜଣଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ।
Comments are closed.