Latest Odisha News

BREAKING NEWS

SI Scam: ପୋଲିସ ଏସଆଇ ନିଯୁକ୍ତି ଘୋଟଲା: ‘ଟଙ୍କା ଦିଅ, ଚାକିରୀ ନିଅ ଘଟଣାରେ ବଡ଼ ମୁଣ୍ଡଙ୍କ ସମ୍ପୃକ୍ତି’, ସିବିଆଇ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି ଯେ ଏହି ଘଟଣାରେ ବଡ଼ ବଡ଼ ବ୍ୟକ୍ତିଙ୍କ ହାତ ଅଛି।

ଏନେଇ ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, “ଗତ ୧୫ ମାସରେ ଷୋହଳଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି, ଯାହା ଯୋଗୁ ନିଯୁକ୍ତି ଆଶାୟୀ ମାନେ ହତାଶ ହୋଇଛନ୍ତି। ପୋଲିସ ଏସଆଇ ପଦବୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରା ଯାଇଥିଲା। ଏହାକୁ ଅକ୍ଟୋବର ୭ ଓ ୮ରେ କରିବା ପାଇଁ ସ୍ଥିର କରା ଯାଇଥିଲା, ଯାହାକୁ ୩୦ ସେପ୍ଟେମ୍ବର ଦିନ ଆଉଥରେ ବାତିଲ କରା ଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମ ପୋଲିସ ଦ୍ୱାରା ଗିରଫ କରା ଯାଇଛି। ଲାଞ୍ଚ ଦେବା ଅଭିଯୋଗରେ ପରୀକ୍ଷାର୍ଥୀ ମାନେ ଯଦି ଗିରଫ ହେଲେ, ତାହେଲେ ଲାଞ୍ଚ ଗ୍ରହଣ କରିଥିବା ବ୍ୟକ୍ତିମାନେ କାହିଁକି ଗିରଫ ହେଉ ନାହାନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଥିସହିତ ପ୍ରଶାନ୍ତ କହିଛନ୍ତି ଯେ, “ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ପଦବୀ ଧାରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ନିଯୁକ୍ତି ଦାୟିତ୍ୱ ଓପିଆରବି ଉପରେ ଥିଲା ବେଳେ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ଉପାଧ୍ୟାୟାଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ୯୩୩ ଜଣ ଏସଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇ କୁ ପ୍ରଦାନ କରା ଯାଇଥିଲା। ପରେ ଆଇଟିଆଇ ଦ୍ୱାରା ରିଚ ମାଇଣ୍ଡକୁ ହଟାଯାଇ ଓଡ଼ିଶାର ଏକ ସଂସ୍ଥା ସିଲିକନ ଡିଜିଟେକକୁ ସହଯୋଗୀ ଭାବେ ନିଆ ଯାଇଥିଲା। କାହା ସ୍ୱାର୍ଥରେ, ରିଚ ମାଇଣ୍ଡକୁ ହଟା ଯାଇ ସିଲିକନ ଡିଜିଟେକ ଭଳି ଅନଭିଜ୍ଞ ସଂସ୍ତାକୁ ଦାୟିତ୍ୱ ଦିଆ ଯାଇଥିଲା ବୋଲି ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଛି ବିଜେଡି।

ସେ ଆହୁରି କହିଛନ୍ତି, ଯଦି ପରୀକ୍ଷାର୍ଥୀ ମାନେ ଲାଞ୍ଚ ଦେଇଥିଲେ, କେଉଁମାନେ ଲାଞ୍ଚ ଗ୍ରହଣ କରିଛନ୍ତି ଓ ସେମାନେ ଗିରଫ କେବେ ହେବେ? ବୋଲି ପ୍ରଶ୍ନ କର, ପୋଲିସ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି।

ଏଥିସହିତ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ବିଜେଡ଼ି ଦାବି ରଖିଛି। ସିବିଆଇକୁ ହସ୍ତାନ୍ତର ନକଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମୁଖପାତ୍ର ଲେନିନ ମହାନ୍ତି।

Comments are closed.