Latest Odisha News

BREAKING NEWS

‘ଭୋକାଲ ଫର ଲୋକାଲ’ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଆଜି ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ବାର୍ତ୍ତା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆଜି ଯାଏଁ ଆମେ ପାଳୁଛୁ ସେବା ସପ୍ତାହ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଭିତରେ ଦେଶର ଆଉ ଜଣେ ଯୋଗଜନ୍ମା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ଆମେ ୨୫ ତାରିଖରେ ପାଳନ କରିଛୁ । ଗାନ୍ଧୀଜୀ, ଶାସ୍ତ୍ରୀଜୀ ଏବଂ ଦିନଦୟାଲଜୀ ସଭିଙ୍କ ଚିନ୍ତାଧାରା ଗରିବ କଲ୍ୟାଣ ସମେତ ଆତ୍ମନିର୍ଭର ଭାରତର ସଠିକ ପଥ ପ୍ରଦର୍ଶକ ।

ଆଜି ଭଳି ପବିତ୍ର ଦିନରେ ସପରିବାର ଆସି ଆମ ରାଜ୍ୟର ବୁଣାକାରଙ୍କ ହାତ ତିଆରି ବସ୍ତ୍ର କିଣି ମୁଁ ଓ ମୋ ପରିବାର ଅତ୍ୟନ୍ତ ଆନନ୍ଦିତ । ଭାରତ ଆଜି ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି । ଦେଶ ସ୍ବାଧୀନତାର ୧୦୦ ବର୍ଷ ୨୦୪୭ ସୁଦ୍ଧା ବିକଶିତ ଅର୍ଥନୀତି ହେବା ଲକ୍ଷ୍ୟରେ ଆମ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବ ।

ଆମେ ଓଡିଆମାନଙ୍କ ସଂକଳ୍ପ ଆମ ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତି ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବୁ । ବିକଶିତ ଭାରତ ଗଠନରେ ଆମ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ । ଏଥିପାଇଁ ସାଢେ ୪କୋଟି ଓଡି଼ଆଙ୍କୁ ସଂକଳ୍ପରୁ ସିଦ୍ଧି ଆଡକୁ ଆଗେଇବାକୁ ପଡିବ ।

ମୋର ମନେ ଅଛି ମୋଦୀଜୀ ତାଙ୍କର ପ୍ରଥମ ମନ କି ବାତ୍ ୨୦୧୪ ଅକ୍ଟୋବର ୩ ତାରିଖରେ କରିଥିଲେ ଏବଂ ତାହା ଥିଲା ପବିତ୍ର ବିଜୟା ଦଶମୀ । ତାଙ୍କ ପ୍ରଥମ ମନ କି ବାତ୍, ଗାନ୍ଧୀ ଜୟନ୍ତୀର ପରଦିନ ଦେଶବାସୀଙ୍କୁ ଖଦି ବସ୍ତ୍ର ପିନ୍ଧିବାର ଆହ୍ୱାନ ଦେଇଥିଲେ । ୨୦୧୪ ମସିହାରେ ମୋଦୀଜୀ ଖଦିକୁ ଏକ ବ୍ୟାପକ ଅର୍ଥରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଖଦିର ବ୍ୟାପକ ଅର୍ଥ ସ୍ବଦେଶୀ ଓ ଏହାର ପ୍ରକୃତ ବ୍ୟାଖ୍ୟା ହେଉଛି ଆତ୍ମନିର୍ଭର ଭାରତ । କୋଭିଡ ସମୟରେ ମୋଦୀଜୀ ସମୟର ବାଧ୍ୟବାଧକତା ମାଧ୍ୟମରେ ଭୋକାଲ ଫର୍ ଲୋକାଲର ଆବଶ୍ୟକତାକୁ ଦେଶବାସୀଙ୍କୁ ସରଳ ଭାବେ ବୁଝାଇଥିଲେ ।

ଦେଶର ସୁନ୍ଦର ଭବିଷ୍ୟତ, ଖଦି, ସ୍ବଦେଶୀ, ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ବିକଶିତ ଭାରତ । ବିକଶିତ ଭାରତର ଟାରିଫକୁ ଡର ରହିବ ନାହିଁ । ଟାରିଫକୁ ନେଇ କିଏ ଭୟ ଦେଖାଇ ପାରିବନି । ଆମ ଅର୍ଥନୀତି ହେବ ସ୍ବୟଂ ସମ୍ପୂର୍ଣ୍ଣ ।

ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋକାଲ ଫର ଲୋକାଲ ଓ ସ୍ୱଦେଶୀର ଆଦ୍ୟ ପଥ ପ୍ରଦର୍ଶକ । ଆଜି ବି ଶ୍ରୀମନ୍ଦିରରେ ଆଳୁ ଓ ବିଲାତି ବାଈଗଣ ପଶିବା ନିଷେଧ । ମହାପ୍ରଭୁ ଓଡ଼ିଆ ଲୋକଙ୍କ ହାତବୁଣା ବସ୍ତ୍ର ଛଡା ଆଉ କିଛି ପିନ୍ଧନ୍ତି ନାହିଁ । ପ୍ରତୀକାତ୍ମକ ଭାବେ ମୁଁ ଆଜି ହସ୍ତତନ୍ତ ବସ୍ତ୍ର କିଣିଛି ସତ । କିନ୍ତୁ ଓଡିଶା ଓ ଦେଶବାସୀ ବିକଶିତ ଭାରତ ଗଠନ କରିବା ପାଇଁ ଭୋକାଲ ଫର ଲୋକାଲ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବା ପାଇଁ ଆହ୍ୱାନ କରୁଛି ।

Comments are closed.