Latest Odisha News

ଆଗାମୀ ୭ ଦିନ ଯାଏଁ ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ: ଆଇଏମଡି

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ରାତି ସୁଦ୍ଧା ପାରାଦୀପ ଏବଂ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ମିଳିତ ଟାଇଫୁନ ସତର୍କତା କେନ୍ଦ୍ର (JWTC) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ଅଛି । ହେଲେ ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଏନେଇ ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତଞ୍ଜୟ ମହାପାତ୍ର ।

ସେ ଆହୁରି କହିଛନ୍ତି, ଏହି ଲଘୁଚାପ ଗଭୀର ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ବୋହିବ ପବନ । ପ୍ରବଳ ବର୍ଷା କାରଣରୁ ବନ୍ୟା ଭଳି ପରିସ୍ଥିତି ଉପୁଜିପାରେ । ହେଲେ ୭ ଦିନ ଭିତରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଡିଜି ମୃତଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

ଗଭୀର ଅବପାତ ପ୍ରଭାବରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା,ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ସେହିପରି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ ।

ସେହିପରି, ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କାଲି ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । .

Comments are closed.