କରାଚି: ପାକିସ୍ତାନରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ପୋଲିସ ଟ୍ରେନିଂ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।
ଯାହା ପରେ ଏନକାଉଣ୍ଟରରେ ଆଉ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି।
ଡେରା ଇସମାଇଲ ଖାନ ଜିଲ୍ଲାର ରଟ୍ଟା କୁଲାଚି ପୋଲିସ ଟ୍ରେନିଂ ସେଣ୍ଟର ଉପରେ ଆକ୍ରମଣ ପରେ ପୋଲିସ ଏନକାଉଣ୍ଟରରେ ପ୍ରଥମେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ପରିସରରେ ଲୁଚି ରହିଥିବା ସୂଚନା ମିଳିଥିଲା। ଅପରପକ୍ଷରେ ଏହି ଘଟଣାରେ ୧୩ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ପ୍ରଶିକ୍ଷାର୍ଥୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ତେବେ ଏହି ଅପରେସନରେ SSG କମାଣ୍ଡୋ, ଅଲ-ବୁର୍କ ଫୋର୍ସ, ଏଲିଟ୍ ଫୋର୍ସ ଏବଂ ପୋଲିସ ସାମିଲ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଟ୍ରକକୁ ପୋଲିସ ଟ୍ରେନିଂ ସେଣ୍ଟରର ମୁଖ୍ୟ ଫାଟକରେ ଧକ୍କା ଦେଇ ଏକ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ତୁରନ୍ତ ଆତଙ୍କବାଦୀମାନେ ପରିସରରେ ପ୍ରବେଶ କରି ଆଖିବୁଜା ଗୁଳିଚାଳନା କରିଥିଲେ। ଏପରିକି ହାତ ଗୋଳା ମଧ୍ୟ ଫୋପାଡ଼ିଥିଲେ।
Comments are closed.