Latest Odisha News

BREAKING NEWS

ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ସରକାରଙ୍କ ଗୁରୁତ୍ୱ; ଖାତା ଦେଖିବେ ୧୭ହଜାର ମୂଲ୍ୟାଙ୍କନକାରୀ

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ୨୦୨୦ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକର ଥିଓରୀ ପରୀକ୍ଷା ।  ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ଶିକ୍ଷାବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଏହାକୂ  ତ୍ରୁଟି ଶୂନ୍ୟ କରିବା ପାଇଁ ବିଭାଗ ପାଗ ଭିଡିଛି । ପ୍ରଥମ ପର୍ଯ୍ୟାୟ ଖାତାଦେଖା ପ୍ରକ୍ରିୟା ଏପ୍ରିଲ ୧ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖାତାଦେଖା ଲାଗି ୫୮ଟି ମାନୁଆଲ ଏବଂ ୩୩ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର କରାଯିବ । ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁଯାୟୀ ୨୪ଲକ୍ଷ ୬୫ହଜାର ଉତ୍ତରଖାତା ମୂଲ୍ୟାଙ୍କନ କରାଯିବ ।

ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ଉତ୍ତରଖାତା ଦେଖିବା ଲାଗି ୧୭ହଜାର ୩୫୦ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିୟୋଜିତ କରାଯିବ । ଏମାନଙ୍କ ମଧ୍ୟରୁ ମୂଲ୍ୟାଙ୍କନ କେନ୍ଦ୍ରଗୁଡିକରେ ସୁପରିଟେଷଣଡଣ୍ଟ ଭାବେ ସରକାରୀ କଲେଜର ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବା ସହ ଖାତାଦେଖା ପ୍ରକ୍ରିୟାରେ ସରକାରୀ କଲେଜର ବରିଷ୍ଟ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ମାତ୍ର ଅନେକ ବିଷୟ ଲାଗି ସରକାରୀ କଲେଜଗୁଡିକରେ ଅଧ୍ୟାପକ, ଅଧ୍ୟାପିକାଙ୍କ ସଂଖ୍ୟା ଖୁବ କମ୍ ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ପରିକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

ଖାତା ସଠିକ ଭାବେ ମୂଲ୍ୟାଙ୍କନ କରିବା ସହ ଖାତା ଦେଖାରେ ଯେପରି କୌଣସି ତ୍ରୁଟି ନରହେ ସେଥିଲାଗି ପରୀକ୍ଷାକେନ୍ଦ୍ରଗୁଡିକରେ ସରକାରୀ କଲେଜର ବରିଷ୍ଟ ଅଧ୍ୟାପକଙ୍କୁ ନିୟୋଜିତ କରିବାକୁ ଯୋଜନା ରହିଛି । ଖାତା ଦେଖା ସମୟରେ ଦୈନିକ ମୁଲ୍ୟାଙ୍କନ ଶେଷ ହେବା ପରେ ପ୍ରତ୍ୟେକ ୟୁନିଟରୁ ୧୦ଟି ଲେଖାଏଁ ଖାତାକୁ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଟ ଯାଞ୍ଚ କରିବେ । ସେହିପରି ଫଳ ପ୍ରକାଶ ପରେ ମୂଲ୍ୟାଙ୍କନରେ ତ୍ରୁଟି ନେଇ ଯେପରି କୌଣସି ଅଭିଯୋଗ ନହୁଏ ସେଥିଲାଗି ଗୁରୁତ୍ୱ ଦିଆଯାଇଛି ।

ଏହାସହିତ ଖାତାଦେଖା ଲାଗି ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେହି ତାଲିକାଭୁକ୍ତ ଅଧ୍ୟାପକଙ୍କ ଅଭିଜ୍ଞତା, ବରିଷ୍ଠତା ଏବଂ ମୋଟ କେତେ ବର୍ଷ ହେବ ଖାତାଦେଖାରେ ନିୟୋଜିତ ରହିଛନ୍ତି ସେସବୁର ଯାଞ୍ଚ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଅପରପକ୍ଷେ ଚଳିତବର୍ଷ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ଖାତାଦେଖା ପ୍ରକ୍ରିୟାରେ ସାମିଲ କରାଯିବ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 

Leave A Reply

Your email address will not be published.