Latest Odisha News

BREAKING NEWS

ମହଙ୍ଗା ସାବ୍ୟସ୍ତ ହେଲା ଗମ୍ଭୀରଙ୍କ ଅତିରିକ୍ତ ଅଲରାଉଣ୍ଡର ଖେଳାଇବା ଜିଦ

ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୨ଟି ଦିନିକିଆ ମ୍ୟାଚରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଆଗୁଆ ପରାଜୟବରଣ କରିଛି । ବ୍ୟାଟିଂ ବିଫଳତା ଓ ଖରାପ ଫିଲ୍ଡିଂ ଦ୍ୱିତୀୟ ଦିିନିକିଆ ପରାଜୟର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ବିରାଟ କୋହଲି, ଶୁଭମନ ଗିଲ ଓ କେଏଲ ରାହୁଲ ଖରାପ ପ୍ରଦର୍ଶନ କରିଥିଲେ । ତେବେ ଏହା ସତ୍ୱେ କୋଚ ଗୌତମ ଗମ୍ଭୀରଙ୍କ ୩ ଅଲରାଉଣ୍ଡର ଖେଳାଇବା ଜିଦ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ପ୍ରଥମ ମ୍ୟାଚରେ ଦଳ ପରାଜିତ ହୋଇଥିଲେ ମଧ୍ୟ ଦ୍ୱିତୀୟ ମୁକାବିଲାରେ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରାଯାଇ ନ ଥିଲା । କୂଲଦୀପ ଯାଦବଙ୍କ ଅନୁପସ୍ଥିତି ଦଳକୁ ବିଶେଷ ଅସୁବିଧାରେ ପକାଇଥିଲା । ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ ନୀତିଶ କୁମାର ରେଡ୍ଡୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ଏଥିପାଇଁ କୁଲଦୀପ ବାଦ ପଡିଥିଲେ ।

ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମୀଙ୍କ ଅନୁପସ୍ଥିତିରେ ବୋଲରଙ୍କ ପ୍ରଦର୍ଶନ ସେଭଳି ଉତ୍ସାହଜନକ ନ ଥିଲା । ଅଭିଜ୍ଞ ଆଡାମ ଜାମ୍ପା ଭାରତୀୟ ମିଡିଲ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ । ଅଷ୍ଟ୍ରେଲିଆ ୨୬୫ ରନର ଲକ୍ଷ୍ୟକୁ ପିଛା କରି ଏକଦା ୫ ୱିକେଟ ବିନିମୟରେ ୧୮୭ ରନ କରିଥିଲା । ଏହି ପରିସ୍ଥିତିରେ କୂଲଦୀପଙ୍କ ବୋଲିଂ ନିଶ୍ଚିତ ଭାବେ ଦଳକୁ ଫାଇଦାରେ ରଖିଥାନ୍ତା ।

ମାଥ୍ୟୁ ଶର୍ଟ, ମିଚେଲ ଓୱେନ ଓ କୂପର କୋନଲୀ ସ୍ପିନରଙ୍କୁ ଖେଳିବାରେ ଏତେଟା ସିଦ୍ଧହସ୍ତ ନୁହନ୍ତି । ଅଥଚ ଏହାର ଫାଇଦା ଭାରତୀୟ ସ୍ପିନର ଉଠାଇ ପାରି ନ ଥିଲେ । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ ୨ଜଣ ଅଲରାଉଣ୍ଡର ସେ ଭଳି ଖାସ ପ୍ରଦର୍ଶନ କରି ନ ଥିଲେ । ଅକ୍ଷର, ସୁନ୍ଦର ଓ ନୀତିଶ ମିଳିତ ଭାବେ ୬୪ ରନ କରିଥିଲେ ଏବଂ ୨୦ ଓଭର ବୋଲିଂ କରି ୧୧୩ ରନ ଦେଇ ୩ଟି ୱିକେଟ ନେଇଥିଲେ । ଅଧିକ ଅଲରାଉଣ୍ଡର ଖେଳାଇ ଗମ୍ଭୀର ପରୋକ୍ଷରେ ଭାରତୀୟ ବ୍ୟାଟିଂ ଏତେଟା ମଜଭୁତ ନୁହେଁ ବୋଲି ଦର୍ଶାଇଥିଲେ । କୂଲଦୀପଙ୍କ ପରି ବୋଲର କିମ୍ବା ଅନ୍ୟ ଜଣେ ବ୍ୟାଟ୍ସମ୍ୟାନ ଭାରତକୁ ସୁବିଧାଜନକ ସ୍ଥିତିରେ ରଖିଥାନ୍ତା । ଗମ୍ଭୀରଙ୍କ ଜିଦ ଭାରତ ପରାଜୟର କାରଣ ସାଜିଲା ।

Comments are closed.