ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବାତ୍ୟା ମୋନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁରର ସମସ୍ତ ହୋଟେଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୭ ତାରିଖରୁ ତିନି ଦିନ ପାଇଁ ହୋଟେଲ ଗୁଡ଼ିକୁ ବନ୍ଦ ରଖିବା ସହ ସମସ୍ତ ବୁକିଂ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଜିଲ୍ଲାପାଳ କୀର୍ତ୍ତି ଭାସନ ଜାରି କରିଥିବା ନେଇ ଜଣାପଡ଼ିଛି। ଏଥିସହିତ ଅତିଥି, କର୍ମଚାରୀ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ କୁହାଯାଇଛି।ନିର୍ଦ୍ଦେଶାବଳୀର ପାଳନ ନକଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ବ୍ୟବସ୍ଥା ଅନୁଯାୟୀ ଗମ୍ଭୀରତାର ସହ ବିଚାର କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି।
ମୋନ୍ଥା ଭୟଙ୍କର ଘୂର୍ଣ୍ଣିଝଡ଼ ଭାବରେ ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିଲେ ମଧ୍ୟ ଏହାର ପ୍ରଭାବରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଅନେକ ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅକ୍ଟୋବର ୨୭ ତାରିଖ ପାଇଁ ଅରେଞ୍ଜ ଏବଂ ଅକ୍ଟୋବର ୨୮ ପାଇଁ ରେଡ୍ ୱାର୍ଣିଙ୍ଗ ଜାରି କରିଛି।
Comments are closed.