Latest Odisha News

BREAKING NEWS

Kabul as India’s Puppet: ଔଷଧ ବଦଳରେ ତାଟିଆ କାମୁଡୁଛି ପାକିସ୍ତାନ

ନୂଆଦିଲ୍ଲୀ: ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଶାନ୍ତି ଆଲୋଚନା ହଠାତ୍ ଏକ ନାଟକୀୟ ଢଙ୍ଗରେ ବିଫଳ ହୋଇଛି, ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏହାର ପରିଣାମ ଗମ୍ଭୀର ହୋଇପାରେ। କାତାର ଏବଂ ତୁର୍କୀ ଦୁଇ ଦେଶ ମଧ୍ୟରେ ଶାନ୍ତି ମଧ୍ୟସ୍ଥତା କରିଥିଲେ ଏବଂ ଚାଲିଥିବା ସଂଘର୍ଷକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସବୁ କିଛି ବିଫଳ ହୋଇଛି । ଯାହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏବେ କିଛି ବାଟ ନପାଇ ଭାରତକୁ ପୁଣି ଯୁଦ୍ଧ ଭିତରକୁ ଟାଣିଛି ପାକିସ୍ତାନ ।

ଖିଆଲି ପୁଲାଓ ପକାଉଛି ପାକିସ୍ତାନ?

ଆଫଗାନିସ୍ତାନ ସହ ଯୁଦ୍ଧ ବିରତି ନେଇ ନିଷ୍କର୍ସ ନବାହାରି  ବା ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୁଣି ଥରେ ଅନାବଶ୍ୟକ ଭାବରେ ଭାରତକୁ ଏହି ସଂଘର୍ଷରେ ଟାଣିବାକୁ ଚେଷ୍ଟା କରିଛନ୍ତି । ସେ ଦାବି କରିଛନ୍ତି ଯେ କାବୁଲ ସରକାରଙ୍କର କ୍ଷମତା ନାହିଁ ପାକିସ୍ତାନ ସହ ଲଢିବାକୁ । ଏହା କେବଳ ଭାରତ ଯୋଗୁଁ ହେଉଛି । କାରଣ ଭାରତ ଏଥିରେ ଅନୁପ୍ରବେଶ କରିଛି ଏବଂ ଇସଲାମାବାଦ ବିରୁଦ୍ଧରେ ଏକ ପ୍ରକ୍ସି ଯୁଦ୍ଧ କରିବା ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରୁଛି। ଏଥିସହିତ ସେ ତାଙ୍କର ଅବାନ୍ତର ବିବୃତ୍ତିରେ ଏହା ବି ଦାବି କରିଛନ୍ତି ଯେ ଭାରତ କାଳେ କାବୁଲ ମାଧ୍ୟମରେ ନିଜର ପରାଜୟର ପ୍ରତିଶୋଧ ନେଉଛି।

କାହିଁକି ଯୁଦ୍ଧବିରତି ବିଫଳ ହେଲା?

ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ବିଫଳ ଯୁଦ୍ଧବିରତି ପଛର କାରଣଗୁଡ଼ିକ ଦୁଇ ଦେଶ ମଧ୍ୟରେ ଗଭୀର ଅବିଶ୍ୱାସ, ବିଭାଜନ ଏବଂ ପ୍ରତିଯୋଗିତାମୂଳକ ଏଜେଣ୍ଡାକୁ ଉଜ୍ଜ୍ୱଳ କରିଛି, ବିଶେଷକରି ଆମେରିକାର ଡ୍ରୋନ୍ ଅପରେସନ୍ ଏବଂ ସୀମାପାର ଆତଙ୍କବାଦ ସହିତ ଜଡିତ ପ୍ରସଙ୍ଗ। ଶାନ୍ତି ଆଲୋଚନା ସମୟରେ, ପାକିସ୍ତାନୀ ପ୍ରତିନିଧି ଦଳ ଏବଂ ଆଫଗାନିସ୍ତାନ ପ୍ରତିନିଧି ଦଳ ମୁହାଁମୁହିଁ ହୋଇଥିଲେ । ଉଭୟ ପ୍ରତିନିଧି ଦଳ ସଦସ୍ୟଙ୍କ ମଧ୍ୟରେ ଉଷ୍ମ ଯୁକ୍ତିତର୍କ ହୋଇଥିବା ବେଳେ ପାକିସ୍ତାନ ତାର ଆଫଗାନିସ୍ତାନ ପ୍ରତିପକ୍ଷ ଏବଂ ମଧ୍ୟସ୍ଥିମାନଙ୍କୁ ଅପମାନ କରିଥିଲା। ଏହାର ଏକ କାରଣ ହେଉଛି ପାକିସ୍ତାନର ପ୍ରଥମ ସାର୍ବଜନୀନ ସ୍ୱୀକାର ଯେ ସେ ଆମେରିକା ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି ଯାହା ଦ୍ୱାରା ସେ ନିଜ ଅଞ୍ଚଳରୁ ଡ୍ରୋନ୍ ଅପରେସନ୍ କରିବାକୁ ଅନୁମତି ଦେଇଛି, ଏବଂ ଏହି ଚୁକ୍ତି “ଭଙ୍ଗ କରାଯାଇପାରିବ ନାହିଁ”। ଯାହା ଆଫଗାନିସ୍ତାନର ଦାବି ରହିଥିଲା । ପାକିସ୍ତାନ ଆମେରିକୀୟ ଡ୍ରୋନ୍‌କୁ ଆଫଗାନିସ୍ତାନ ବାୟୁମଣ୍ଡଳ ଉଲ୍ଲଂଘନ କରିବାକୁ ଅନୁମତି ଦେଇପାରିବ ନାହିଁ ବୋଲି ସିଧା ସିଧା ଦାବି କରିଥିଲା କାବୁଲ । ଏଥିସହିତ ଆଫଗାନ ସୀମାରେ ପାକିସ୍ତାନର କୌଣସି ହସ୍ତକ୍ଷେପ ରହିବ ନାହିଁ ବୋଲି ଦାବି କରିଥିଲା । ହେଲେ ଏନେଇ ଅରାଜି ହୋଇଥିଲା ପାକିସ୍ତାନ । ଯାହା ଦୁଇ ପଡୋଶୀ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି କରିଛି ।

ଛିଡିବ ଭୟଙ୍କର ଯୁଦ୍ଧ!

ଇସ୍ତାନବୁଲ ଆଲୋଚନାର ବିଫଳତା କେବଳ ଶାନ୍ତି ପ୍ରକ୍ରିୟାକୁ ଅଟକାଇ ନାହିଁ ବରଂ ଆଫଗାନ-ପାକିସ୍ତାନ ସୀମାରେ ସାମରିକ ସଂଘର୍ଷର ବିପଦ ମଧ୍ୟ ବୃଦ୍ଧି କରିଛି। ଆଫଗାନସ୍ତାନ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ଯଦି ପାକିସ୍ତାନ ଆଫଗାନ ମାଟିରେ ବିମାନ ଆକ୍ରମଣ ଆରମ୍ଭ କରେ ତେବେ ଆଫଗାନ ସେନା ଇସଲାମାବାଦ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ। ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ମତିନ କାନି ମଙ୍ଗଳବାର କହିଛନ୍ତି ଯେ “ଏହା ସତ୍ୟ ଯେ ଆମ ପାଖରେ ପରମାଣୁ ଅସ୍ତ୍ର ନାହିଁ, କିନ୍ତୁ ୨୦ ବର୍ଷର ଯୁଦ୍ଧ ସତ୍ତ୍ୱେ, ନାଟୋ କିମ୍ବା ଆମେରିକା ଆଫଗାନିସ୍ତାନକୁ ଦମନ କରିପାରି ନାହାନ୍ତି।” ଯାହାର ଜବାବରେ, ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ କହିଛନ୍ତି, “ଯଦି ଆଫଗାନିସ୍ତାନ ଇସଲାମାବାଦ ଆଡକୁ ଚାହିଁବ, ତେବେ ଆମେ ସେମାନଙ୍କର ଆଖି ବାହାର କରିଦେବୁ।”

ତେବେ ପୂର୍ବରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ୭୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି। ଅକ୍ଟୋବର ୯ରେ କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଦୁଇ ଦେଶ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା, ଯାହା ପାଇଁ ତାଲିବାନ ଅଧିକାରୀମାନେ ପାକିସ୍ତାନକୁ ଦାୟୀ କରିଥିଲେ। ଆଉ ସଂଯୋଗବଶତଃ, ସେହି ସମୟରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ମୁତାକି ନୂଆଦିଲ୍ଲୀ ଗସ୍ତରେ ଥିଲେ । ଯାହାକୁ ନେଇ ଆଫଗାନିସ୍ତାନ ସହ ଯୁଦ୍ଧରେ ଭାରତକୁ ଟାର୍ଗେଟ କରିବା ଆରମ୍ଭ କରିଥିଲା ପାକିସ୍ତାନ । ଯାହା ଦର୍ଶାଉଛି ଯେ ପାକିସ୍ତାନ କେବେଳ ଔଷଧ ବିକଳରେ ତାଟିଆ କାମୁଡିଛି । ତେବେ ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି । ହେଲେ ଏହା କେବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେୁଛି ତାହା ସମୟ କହିବ ।

Comments are closed.