ପୁରୀ: ଆଜିଠୁ ଧର୍ମମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ । ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେବ । କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥିବାରୁ ୪ ଦିନ ବ୍ରତ ପଡ଼ୁଛି । ଏହାକୁ ବକ ପଞ୍ଚମୀ ଓ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି ।
କେବଳ ସିଂହଦ୍ବାର ପଟେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରୁଛନ୍ତି । ସେବକମାନେ କିନ୍ତୁ ସବୁ ଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ । ମାତ୍ର କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ ।
ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି । ଭିତର କାଠ ଦର୍ଶନ ବନ୍ଦ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ଭକ୍ତମାନେ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ।
ଭକ୍ତଙ୍କ ସୁରକ୍ଷା ପାଇଁ ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ରହିବ । ବାଗେଡ଼ିଆ ଧର୍ମଶାଳା ନିକଟରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ମନ୍ଦିର ନିକଟରେ ୨ଟି ଆମ୍ବୁଲାନ୍ସ ୨୪ ଘଣ୍ଟା ରହିଛନ୍ତି । ବରିଷ୍ଠ ଓ ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍ ଚେୟାର ବ୍ୟବସ୍ଥା ରହିଛି । ସୁରକ୍ଷା ଦୃଷ୍ଟିକୋଣରୁ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
Comments are closed.