ନୂଆଦିଲ୍ଲୀ: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଟଙ୍କା ଆଦାୟ କରିଛନ୍ତି ଲୁଟେରା । କେବଳ ଭାରତରେ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୩ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ସାଇବର ଲୁଟେରା। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଡିଜିଟାଲ୍ ଆରେଷ୍ଟ୍ ସ୍କାମ୍ ଉପରେ ନିଜ ଆଡୁ ହୋଇଥିବା ମାମଲା ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ।
ଏହା ସହ ଆଗକୁ କହିଛନ୍ତି ଯଦି ଆମେ ବର୍ତ୍ତମାନ ଏହାକୁ ଅଣଦେଖା କରିବା ଏବଂ କଠୋର ତଥା କଡ଼ା ନିର୍ଦ୍ଦେଶ ଦେଇପାରିବା ନାହିଁ ତେବେ ସମସ୍ୟା ବଢିଯିବ । ଗତ ୨୭ ତାରିଖରେ ସବୁ ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ । ଏହାସହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ୍ ଜାରି କରିଥିଲେ । ରାଜ୍ୟଗୁଡିରେ ଡିଜିଟାଲ ଆରେଷ୍ଟ ନେଇ ଥିବା FIRର ତଥ୍ୟ ମାଗିଥିଲେ ସୁପ୍ରିମକୋର୍ଟ ।
କଣ ଏହି ଡିଜିଟାଲ ଆରେଷ୍ଟ ?
ସାଇବର ଲୁଟେରାମାନେ ପୋଲିସ, ସରକାରୀ ଅଧିକାରୀ କିମ୍ବା କୋର୍ଟ ପ୍ରତିନିଧି ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରନ୍ତି। ସେମାନେ ନକଲି ଭିଡିଓ ଏବଂ ଅଡିଓ କଲ୍ ବ୍ୟବହାର କରନ୍ତି। ନକଲି ଡକ୍ୟୁମେଣ୍ଟ ଏବଂ ମିଥ୍ୟା କୋର୍ଟ ଆଦେଶ ପ୍ରଦାନ କରି, ସେମାନେ ଗିରଫଦାରୀ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରିବା ବାହାନାରେ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, “ଏହା ଆଶ୍ଚର୍ଯ୍ୟଜନକ ଯେ ସାରା ଦେଶରେ ପୀଡିତଙ୍କଠାରୁ, ବରିଷ୍ଠ ନାଗରିକଙ୍କ ସମେତ, ୩ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରାଯାଇଛି। ଯଦି ଆମେ ଏହା ଉପରେ କଠୋର ନିର୍ଦ୍ଦେଶ ଜାରି ନକରୁ, ତେବେ ଏହି ସମସ୍ୟା ଆହୁରି ବଢ଼ିବ। ଆମକୁ ନ୍ୟାୟିକ ନିର୍ଦ୍ଦେଶ ସହିତ ଆମର ଏଜେନ୍ସିଗୁଡ଼ିକୁ ମଜବୁତ କରିବାକୁ ପଡିବ। ଆମେ ଏହି ଅପରାଧଗୁଡ଼ିକୁ ଦୃଢ଼ ଭାବରେ ମୁକାବିଲା କରିବାକୁ ଚାହୁଁଛୁ।”
Comments are closed.