Latest Odisha News

ରାଜ୍ୟରେ ଆହୁରି ୪ ଦିନ ହାଡ଼ଭଙ୍ଗା ଶୀତ: ୧୨ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ରହିଛି ପାରଦ । ଫଳରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ଶୀତ ଋତୁରେ ଏହା ସବୁଠୁ କମ୍ ରାତି ତାପମାତ୍ରା । ଭୁବନେଶ୍ବର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି । ଶିମିଳିପାଳରେ ୪ ଡିଗ୍ରୀକୁ ଖସିଲା ତାପମାତ୍ରା ।

୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।

୪ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ତଥାପି ଥଣ୍ଡା କମିବନି ବୋଲି ପୂର୍ବାନୁମାନ କରାଯାଇଛି । ହାଡ଼ଭଙ୍ଗା ଶୀତ ଯୋଗୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ସାଙ୍ଗକୁ କୁହୁଡି ଓ ଥଣ୍ଡା ପବନରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଲୋକେ ।

Comments are closed.