Latest Odisha News

BREAKING NEWS

Pitavas Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ରିମାଣ୍ଡ୍‌ରୁ ଜେଲ୍‌ ଫେରିଲେ ୪ ଅଭିଯୁକ୍ତ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ରିମାଣ୍ଡ୍‌ରୁ ଜେଲ୍‌ ଫେରିଲେ ୪ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ, ସାର୍ପ ସୁଟର କୁରୁପତି ଭୂୟାଁ, ବାଇକ୍ ଚାଳକ ଚିଣ୍ଟୁ ପ୍ରଧାନ ଓ ସହଯୋଗୀ ଯୋଗୀ ରାଉତକୁ ପୁଲିସ ଦୁଇଦିନିଆ ରିମାଣ୍ଡ୍‌ରେ ଆଣି ପଚରାଉଚରା କରିବା ପରେ ଶୁକ୍ରବାର ପୁଣି କୋର୍ଟ ହାଜର କରିଛି। ହତ୍ୟା ଘଟଣାରେ ଅଧିକ ତଦନ୍ତ ଓ ତଥ୍ୟ ପାଇଁ ଉପରୋକ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା।

କୋର୍ଟ ଦୁଇଦିନ ରିମାଣ୍ଡ ଅନୁମତି ଦେବା ପରେ ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍‌ରୁ ଆଣି ବୈଦ୍ୟନାଥପୁର ଥାନାରେ ରଖାଯାଇଥିଲା । ଏଏସ୍‌ପି ଆଲୋକ କୁମାର ଜେନା ଓ ବ୍ରହ୍ମପୁର ଟାଉନ୍ ଏସ୍‌ଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତଙ୍କୁ ପୁଣି ଜେରା କରିଥିଲେ। ପ୍ରଥମ ଥର ଏମାନଙ୍କୁ ରିମାଣ୍ଡ୍‌ରେ ଆଣି ପୋଲିସ ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା। ସେମାନଙ୍କୁ ବିଭିନ୍ନ ଦିଗରୁ ପଚରାଉଚରା କରିବା ପରେ କୋର୍ଟ ହାଜର କରିଥିଲା। ଏବେ ସେମାନଙ୍କୁ ଜେରା କରିବା ପରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗୋଟିଏ ବାଇକ୍ ଜବତ ହୋଇଛି।

ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି। ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର କରୁଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି। ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି। ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୋଲିସ ଘଣ୍ଟାଚକଟା କରିଛି। ତେବେ ଏହି ମାମଲା‌ରେ ଆଉ କିଏ ସବୁ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଅନ୍ୟପଟେ ପୋଲିସ ମାମଲାର ଚାର୍ଜସିଟ୍‌ ଠିକ୍‌ ସମୟରେ କରିବାକୁ ଯୋଜନା କରିଛି। ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୋଲିସ ଯୋଗାଡ଼ କରିଛି। ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି। ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୋଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଅକ୍ଟୋବର ୬ ତାରିଖରେ ବୈକୁଣ୍ଠନଗର ଛକରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅକ୍ଟୋବର ୨୨ ତାରିଖରେ ଏହି ମାମଲାର ଖୁଲାସା କରିବା ସହ ପର୍ଯ୍ୟାୟକ୍ରମେ ପୋଲିସ ୧୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ଗିରଫ ହେବା ପରେ କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ ଓ ଉପରୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଜେରା କରିବା ସହ ସିନ୍ ରିକ୍ରିଏସନ୍ କରାଇଥିଲା । ଏହି ମାମଲାରେ ଜେଲ୍ରେ ଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସ ଦୁଇଥର ସାକ୍ଷୀଙ୍କ ଉପସ୍ଥିତିରେ ଟିଆଇ ପରେଡ୍ କରିସାରିଛି ।

Comments are closed.