ଲକ୍ଷ୍ନୌ: ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟର ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ପୂନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ଆନ୍ଧ୍ରପ୍ରଦେଶଠାରୁ ପରାଜିତ ହୋଇଛି । ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ କରିଥିଲା । ଶ୍ରୀକର ଭାରତ ୪୨ ଓ ରିକି ଭୂଈ ୪୭ ରନ କରିଥିଲେ । ଓଡିଶା ପକ୍ଷରୁ ବିପ୍ଲବ ସାମନ୍ତରାୟ ୩ଟି ଏବଂ ରାଜେଶ ମହାନ୍ତି ୨ଟି ୱିକେଟ ନେଇଥିଲେ । ଜବାବରେ ଓଡିଶା ୧୭.୨ ଓଭରରେ ୧୧୮ ରନ କରି ଅଲଆଉଟ ହୋଇ ଯାଇଥିଲା । ସୌରଭ ଗୌଡା ସର୍ବାଧିକ ୨୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱସ୍ତିକ ସାମଲ ୧୮, ଗୌରବ ଚୌଧୁରୀ ୧୭, ଶୁଭ୍ରାଂଶୁ ସେନାପତି ୧୬ ରନ କରିଥିଲେ ।
ଆନ୍ଧ୍ର ୬୬ ରନ ବ୍ୟବଧାନରେ ସହଜରେ ଏହି ମ୍ୟାଚକୁ ଜିତିନେଇଥିଲା । ପୃଥ୍ୱୀ ରାଜ ଓ ସୌରଭ କୁମାର ୩ଟି ଲେଖାଏଁ ୱିକେଟ ଅକ୍ତିଆର କରି ଓଡିଶାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ୪ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସୌରଭ କୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓଡିଶା ୨ଟି ମ୍ୟାଚ ଖେଳି କୌଣସି ପଂଏଟ ହାସଲ କରି ନ ପାରି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି ।
Comments are closed.