ଭୁବନେଶ୍ୱର: ଗୋ-ମାତାର ସୁରକ୍ଷା ସହ ବେଆଇନ କଂସେଇ ଖାନା ବନ୍ଦ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାର ଗୋ-ମାତାର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ କରିପାରିବେ ନାହିଁ I ଏଥି ସହିତ ରାଜ୍ୟରେ ବେଆଇନ କଂସେଇ ଖାନା ଓ ଗୋଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କାରାଯିବ I ଏହାକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ ଆଣିବାକୁ ଗମ୍ଭୀରତା ସହ ଚିନ୍ତା କରୁଛନ୍ତି I ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହାର ସ୍ପଷ୍ଟ ଚିତ୍ର ଆସିବାର ସମ୍ଭାବନା ଅଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ I
ରାଜ୍ୟରେ ଗୋ-ସୁରକ୍ଷା ପାଇଁ ଅନଶନରତ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଆମ ଦେଶର ପ୍ରତିଟି ନାଗରିକ ମଧ୍ୟରେ ଗୋ-ମାତା ପ୍ରତି ଯେଉଁ ଭାବନା ରହିଛି ତାହାକୁ କେବେବି କ୍ଷୁର୍ଣ୍ଣ ହେବାକୁ ଦିଆଯିବନି I ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗ ଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ଼ ନେତୃତ୍ୱ ଓଡ଼ିଶାରେ ଚାଲିଥିବା ଡବଲ ଇଞ୍ଜିନ ସରକାର ଗୋ-ସୁରକ୍ଷା ନେଇ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି I ଏ ସମ୍ପର୍କରେ ପୁଣିଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗୋ-ସୁରକ୍ଷା ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା ହେବ ଏବଂ ଗୋ-ସୁରକ୍ଷା ନେଇ ଏକ ସର୍ବଶ୍ରେଷ୍ଠ ଆଇନ ପାଇଁ ସରକାର ବିଚାର ବିମର୍ଶ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୋ-ସୁରକ୍ଷା ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ I
ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ୫ ଦିନ ଧରି ଚାଲିଥିବା ଅନଶନ ପ୍ରତ୍ୟାହୃତ ହୋଇଥିଲା I ଗୋ-ସୁରକ୍ଷା ନେଇ ଅନୁଷ୍ଠିତ ଆଜିର ଆଲୋଚନାରେ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ ଅନ୍ୟ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।
Comments are closed.