ଭୁବନେଶ୍ବର: ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖେଁ ମନ୍ତ୍ରୀଙ୍କୁ ମଣ୍ଡି ଦାୟିତ୍ବ ଦିଆଯାଇଛି । ଧାନ ସଂଗ୍ରହ ସମୟରେ ସମନ୍ବୟ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି ବୋଲି ଗୃହରେ ଆଜି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ବ ଦେବେ । ଅଫିସରମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ସମବାୟ, ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ ଭଳି ବିଭାଗ ସମନ୍ବୟ ରଖି କାର୍ଯ୍ୟ କରିବେ ।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି ଯେ, ୫ ଜିଲ୍ଲାକୁ ମୋଟ୍ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ଦିଆଯାଇଛି । ବରଗଡ଼ରେ ୭୩୬୯୬, ବଲାଙ୍ଗୀରରେ ୫୩୦୯୦, କଳାହାଣ୍ଡିରେ ୮୮୬୬୬ ଟୋକେନ୍, ନୂଆପଡ଼ାରେ ୨୯୭୮୬, ସମ୍ବଲପୁରରେ ୪୯୩୩୩ ଜଣଙ୍କୁ ଟୋକେନ୍ ଦିଆଯାଇଛି ।
ଶୀଘ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ । ଚଳିତ ଖରିଫ ଋତୁରେ ୧୯ ଲକ୍ଷ ୬୭ ହଜାର ୮୧୨ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଆଗକୁ ଶହେଟି ମଡେଲ ମଣ୍ଡି ଖୋଲିବାକୁ ଯୋଜନା କରିଛନ୍ତି ସରକାର ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ।